Categories: ରାଜ୍ୟ

ଭାରତୀୟ ନୌସେନା : ୨୯୮୨ ପ୍ରଶିକ୍ଷାର୍ଥୀ ନାବିକଙ୍କ ଦୀକ୍ଷାନ୍ତ ସମାରୋହ

ବାଲୁଗାଁ,୧୩।୭(ଡି.ଏନ.ଏ.): ଭାରତୀୟ ନୌସେନା ବିଭାଗ ଚିଲିକା ଶାଖା ତାଲିମ୍‌ କେନ୍ଦ୍ରରେ ଶୁକ୍ରବାର ୨୯୮୨ ଜଣ ପ୍ରଶିକ୍ଷାର୍ଥୀ ନାବିକଙ୍କ ଦୀକ୍ଷାନ୍ତ ସମାରୋହ (ପାସିଙ୍ଗ୍‌ ଆଉଟ୍‌ ପରେଡ୍‌) ଅନୁଷ୍ଠିତ ହେଇଯାଇଛି । ଦୀର୍ଘ ୨୧ ସପ୍ତାହ ଧରି ନାବିକଙ୍କ ପ୍ରଶିକ୍ଷଣ ପରେ ଅନୁଷ୍ଠିତ ଏହି ସମାରୋହରେ ଭାଇସ୍‌ ଆଡ୍‌ମିରାଲ୍‌ ତଥା ପୂର୍ବ ନୌସେନା କମାଣ୍ଡ ମୁଖ୍ୟ ଅତୁଲ କୁମାର ଜୈନ ଅଭିବାଦନ ଗ୍ରହଣ କରିଥିଲେ । ଆଗାମୀ ଦିନରେ ନିଜର ପେସାଗତ ଜ୍ଞାନକୁ ଦୃଢକରି ଜଣେ ଦକ୍ଷ କର୍ମକୁଶଳି ରୂପେ ଦେଶ ରକ୍ଷା ନିମନ୍ତେ ନିୟୋଜିତ ହେବାପାଇଁ ପ୍ରଶିକ୍ଷାର୍ଥୀଙ୍କୁ ଆଡ୍‌ମିରାଲ୍‌ ଜୈନ ଭାଷଣ ପ୍ରସଙ୍ଗରେ ଆହ୍ବାନ ଦେଇଥିଲେ । ଏହି ଅବସରରେ ମେଧାବୀ ପ୍ରଶିକ୍ଷାର୍ଥୀ ଭି. ଭୌଦାରିଆ, ତୁଷାର ଏ ଘଡଗେ, ଆଶିଷ କୁମାର ଓ ସୁରେଶ କୁମାରଙ୍କୁ ସର୍ବୋତ୍ତମ ପ୍ରଶିକ୍ଷାର୍ଥୀ ରୂପେ ବିବେଚିତ କରାଯାଇ ଟ୍ରଫି ସହ ମେଡାଲ୍‌ ପ୍ରଦାନ କରାଯାଇଥିଲା । ଦେଶର କୋଣ ଅନୁକୋଣରୁ ପ୍ରଶିକ୍ଷାର୍ଥୀମାନଙ୍କ ମାତାପିତା ଓ ଅଭିଭାବକମାନେ ଚିଲିକା ଆସି ଏହି ଉତ୍ସବରେ ଯୋଗଦେଇଥିଲେ। ଗୁରୁବାର ପ୍ରଶିକ୍ଷାର୍ଥୀମାନଙ୍କ ଏକ ସାଂସ୍କୃତିକ ବିଦାୟ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଶିକ୍ଷାର୍ଥୀ ନିଜନିଜର ଅସାଧାରଣ ପ୍ରତିଭା ଆଡ୍‌ମିରାଲ୍‌ଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତଟ ନୌସେନା ମହିଳା ସମିତିର ସଭାପତି ଦେବିନା ଜୈନ, ଆଇଏନ୍‌ଏସ୍‌ ଚିଲିକାର କମାଣ୍ଡ ଅଧିକାରୀ କମୋଡର୍‌ ଋତୁରାଜ ସାହୁ ଏବଂ ଚିଲିକା ମହିଳା କଲ୍ୟାଣ ସମିତି ସଭାପତି ସଙ୍ଗୀତା ସାହୁ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଦ୍ୱିଭାଷୀ ପତ୍ରିକା ଅଙ୍କୁରର ଗ୍ରୀଷ୍ମ ସଂସ୍କରଣ ଉନ୍ମୋଚନ କରାଯାଇଥିଲା ।

Share