Categories: ଖେଳ

ଭାରତୀୟ ଫୁଟ୍‌ବଲରେ ପ୍ରଥମ: ସ୍କଟ୍‌ଲାଣ୍ଡ କ୍ଲବ୍‌ ରେଞ୍ଜର୍ସ ଏଫ୍‌ସି ସହ ବାଲା ଦେବୀଙ୍କ ଚୁକ୍ତି

ବେଙ୍ଗାଲୁରୁ, ୩୦।୧(ପି.ଟି.)- ସ୍କଟ୍‌ଲାଣ୍ଡର ଜଣାଶୁଣା ଫୁଟ୍‌ବଲ କ୍ଲବ ରେଞ୍ଜର୍ସ ଏଫ୍‌ସି ସହ ଭାରତୀୟ ତାରକା ମହିଳା ଫୁଟ୍‌ବଲର ବାଲା ଦେବୀ ଏକ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଭାରତୀୟ ଫୁଟବଲ୍‌ରେ ପ୍ରଥମଥର ପାଇଁ କୌଣସି ବିଶ୍ୱସ୍ତରୀୟ କ୍ଲବ ସହ ଜଣେ ଖେଳାଳି ଚୁକ୍ତି କରିଛନ୍ତି। ରେଞ୍ଜର୍ସ ସହ ବାଲା ଦେବୀ ଏକ ୧୮ମାସିଆ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଗତ ନଭେମ୍ବରରେ ଅନୁଷ୍ଠିତ ରେଞ୍ଜର୍ସର ଟ୍ରାଏଲ୍‌ରେ ୨୯ ବର୍ଷୀୟା ବାଲା ଦେବୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଏଥିସହିତ ପ୍ରଥମ ଭାରତୀୟ ମହିଳା ପେସାଦାର ଫୁଟ୍‌ବଲର ଭାବେ ବାଲା ଦେବୀ ଏଭଳି ଚୁକ୍ତି କରିଛନ୍ତି। ସେ ମଧ୍ୟ ରେଞ୍ଜର୍ସର ପ୍ରଥମ ଏସୀୟ ମହିଳା ଅନ୍ତର୍ଜାତୀୟ ଫୁଟ୍‌ବଲର ସାବ୍ୟସ୍ତ ହୋଇଛନ୍ତି।
ଭାରତ ପାଇଁ ପ୍ରତିନିଧିତ୍ୱ କରି ବାଲା ଦୋବୀ ଏପର୍ଯ୍ୟନ୍ତ ୫୮ଟି ମ୍ୟାଚ୍‌ ଖେଳି ସର୍ବାଧିକ ୫୨ଟି ଗୋଲ ସ୍କୋର କରିଛନ୍ତି। ଦକ୍ଷିଣ ଏସିଆରେ ସେ ସର୍ବାଧିକ ଅନ୍ତର୍ଜାତୀୟ ଗୋଲସ୍କୋରର ସାବ୍ୟସ୍ତ ହୋଇଛନ୍ତି। ମାତ୍ର ୧୫ ବର୍ଷ ବୟସରୁ ସେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି। ସେ ଏକାଧିକ ଥର ଭାରତୀୟ ଦଳର ଅଧିନାୟିକା ଭାବେ ସଫଳତା ହାସଲ କରିଛନ୍ତି। ଘରୋଇ ଫୁଟ୍‌ବଲରେ ବାଲା ଦେବୀ ୧୨୦ଟି ମ୍ୟାଚ୍‌ ଖେଳି ୧୦୦ ଗୋଲ ସ୍କୋର କରିବା ସହ ରେକର୍ଡ କରିଛନ୍ତି। ଗତ ଦୁଇଟି ସେସନରେ ସେ ଭାରତୀୟ ମହିଳା ଫୁଟ୍‌ବଲ ଲିଗ୍‌ରେ ଟପ୍‌ ସ୍କୋରର ସାବ୍ୟସ୍ତ ହୋଇଛନ୍ତି। ୨୦୧୫ ଓ ୨୦୧୬ରେ ସେ ଦୁଇଥର ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଓମେନ୍ସ ପ୍ଲେୟାର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ରେଞ୍ଜର୍ସ ସହ ଚୁକ୍ତି କରିବା ଓ ଖେଳିବା ମୋ ପାଇଁ ଏକ ସ୍ବପ୍ନ ସତ ହେବା ଭଳି ଘଟଣା ବୋଲି ବାଲା କହିଛନ୍ତି। ଏହା ଭାରତୀୟ ଫୁଟ୍‌ବଲକୁ ଆଗକୁ ନେବାରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Share