ଭାରତୀୟ ବଂଶୋଦ୍ଭବଙ୍କୁ ମିସ୍‌ ଇଂଲଣ୍ଡ ମୁକୁଟ

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ୨୩ବର୍ଷୀୟା ଡାକ୍ତର ଭାଷା ମୁଖାର୍ଜୀ ମିସ୍‌ ଇଂଲଣ୍ଡ ମୁକୁଟ ବିଜୟିନୀ ହୋଇଛନ୍ତି। ଇଂଲଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ୧୨ଜଣ ମଡେଲଙ୍କୁ ପଛରେ ପକାଇ ସେ ମୁକୁଟ ଜିତିଛନ୍ତି। ଭାଷା ଦୁଇଟି ପୃଥକ୍‌ ମେଡିକାଲ ଡିଗ୍ରୀ ହାସଲ କରିବା ସହିତ ଆଇକ୍ୟୁରେ ୧୪୬ ର଼୍ୟାଙ୍କ୍‌ରେ ରହିଛନ୍ତି। ସେ ୫ଟି ଭାଷାରେ ଅନର୍ଗଳ କହିପାରନ୍ତି ବୋଲି ଡେଲି ମେଲ୍‌ରେ ରିପୋର୍ଟ ପ୍ରକାଶ ପାଇଛି। ଗୁରୁବାର ସନ୍ଧ୍ୟାରେ ମିସ୍‌ ଇଂଲଣ୍ଡ ଫାଇନାଲ୍‌ ଶେଷ ହେବାର କିଛି ଘଣ୍ଟା ପରେ ବୋଷ୍ଟନସ୍ଥିତ ଲିଙ୍କନଶାୟାର ହସ୍ପିଟାଲ୍‌ରେ ସେ ଜଣେ କନିଷ୍ଠ ଡାକ୍ତର ଭାବେ ଚାକିରି ଜୀବନ ଆରମ୍ଭ କରିଛନ୍ତି। ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ‘ମେଡିକାଲ ସ୍କୁଲ୍‌ରେ ପାଠପଢ଼ା ମଧ୍ୟଭାଗରେ ସୁନ୍ଦରୀ ପ୍ରତିଯୋଗିତାରେ ଭାଗନେବାକୁ କ୍ୟାରିୟର ଆରମ୍ଭ କରିଥିଲି। ଏଥିପାଇଁ ଖୁବ୍‌ ଖୁସି ଲାଗିଲା। କିନ୍ତୁ ପାଠପଢ଼ାରେ ଅଧିକ ମନୋନିବେଶ କରି ଏଥିରୁ କିଛିଦିନ ବିରତି ନେଲି। ପାଠପଢ଼ା ସରିବା ପରେ ପୁଣି ସୁନ୍ଦରୀ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଲି।’
ଭାଷା ମୁଖାର୍ଜୀ ଭାରତରେ ଜନ୍ମଗ୍ରହଣ କରିଛନ୍ତି। ତାଙ୍କୁ ଯେତେବେଳେ ୯ବର୍ଷ ବୟସ, ତାଙ୍କ ପରିବାର ଭାରତ ଛାଡ଼ି ବ୍ରିଟେନ୍‌ରେ ଅବସ୍ଥାପିତ ହୋଇଥିଲେ। ନଟିଂହାମ୍‌ ୟୁନିଭର୍ସିଟିରୁ ସେ ମେଡିକାଲ୍‌ ସାଇନ୍ସ ଏବଂ ମେଡିସିନ୍‌ ଓ ସର୍ଜରିରେ ଦୁଇଟି ବ୍ୟାଚଲର ଡିଗ୍ରୀ ହାସଲ କରିଛନ୍ତି। ମିସ୍‌ ଇଂଲଣ୍ଡ ବିଜୟୀ ହୋଇଥିବାରୁ ଭାଷା ମୁଖାର୍ଜୀ ମିସ୍‌ ଓ୍ବାର୍ଲଡ ପ୍ରତିଯୋଗିତାରେ ଭାଗନେବେ।

Share