Advertisement

ଭାରତୀୟ ବହୁଭାଷୀ ନାଟକ ପ୍ରତିଯୋଗିତାର ପଞ୍ଚମ ସନ୍ଧ୍ୟା: ମଣିପୁରୀ ନାଟକ ‘ଓଁ ଶାନ୍ତି’, ଓଡିଆ ନାଟକ ‘ଗଛ’ ମଞ୍ଚସ୍ଥ

ଦେବଗଡ଼,୧୫।୧(ଡି.ଏନ.ଏ.) – ସ୍ଥାନୀୟ ଟାଉନହଲ୍‌ଠାରେ ଜାଗରଣ ଆର୍ଟ ଇଣ୍ଟର୍‌ନ୍ୟାଶନାଲ ପକ୍ଷରୁ ଗତ ୧୦ ତାରିଖଠାରୁ ୧୭ତମ ସର୍ବ ଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ଓ ନୃତ୍ୟ ପ୍ରତିଯୋଗିତା ଚାଲିଛି। ମଙ୍ଗଳବାର ପଞ୍ଚମ ସନ୍ଧ୍ୟାରେ ୨ଟି ନାଟକ ମଞ୍ଚସ୍ଥ ହୋଇଛି। ମଣିପୁର ଇମ୍ଫାଲର ଲେଇସାରେମ୍ବି ଆର୍ଟ ଆଣ୍ଡ କଲଚରାଲ ଆସୋସିଏଶନ ଦ୍ୱାରା ନାଟ୍ୟକାର କେ.ବି. ଶର୍ମାଙ୍କ ରଚିତ ଓ ୟୁ.ୟୁ. ସମରେନ୍ଦ୍ରଙ୍କ ନିର୍ଦ୍ଦେଶିତ ମଣିପୁରୀ ନାଟକ ‘ଓଁ ଶାନ୍ତି’ ମଞ୍ଚସ୍ଥ ହୋଇଥିଲା। ସେହିଭଳି ରାଉରକେଲାର ସ୍ବସ୍ତି ଝଙ୍କାର ଅନୁଷ୍ଠାନର କଳାକାରମାନେ ରାଜୀବ ପାଣୀଙ୍କ ନିର୍ଦ୍ଦେଶିତ ଓଡିଆ ନାଟକ ‘ଗଛ’ରେ ନିଖୁଣ ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ଏଥିରେ ଅତିଥି ଭାବେ ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ପୂର୍ବତନ ଅଧ୍ୟକ୍ଷା ନିବେଦିତା ନାୟକ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଅନୁଷ୍ଠାନର ସଭାପତି ଅଶୋକ କୁମାର ନନ୍ଦ, ଉପ ସଭାପତି ପ୍ରକାଶ ଦେବତା ଓ ସମ୍ପାଦକ ସୁଜିତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel