Categories: ଖେଳ

ଭାରତୀୟ ବିଜୟରେ ପିନ୍ଧିଥିବା ଶାର୍ଟ ଖୋଲି ଦେଇଥିଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଆଜି ୪୭ତମ ଜନ୍ମଦିନ। ଭାରତୀୟ କ୍ରିକେଟ ଦରବାରରେ ପହଞ୍ଚାଇବାରେ ଗାଙ୍ଗୁଲିଙ୍କ ଅବଦାନ ଅତୁଳନୀୟ। ସେହିପରି ବିରେନ୍ଦ୍ର ସେହଓ୍ବାଗ ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ବିଶ୍ୱବିଜୟୀ ଖେଳାଳିଙ୍କୁ ଗଢି ତୋଳିବାରେ ଗାଙ୍ଗୁଲିଙ୍କ ବେଶ୍‌ ଭୂମିକା ରହିଛି। ଐତିହାସିକ ଲଡର୍‌ସ ଷ୍ଟାଡିୟମ ସହ ଅନେକ ସ୍ମୃତି ରହିଛି। ୨୦୦୨ରେ ଖେଳାଯାଇଥିବା ନାଟୱେଷ୍ଟ ଟ୍ରଫିର ଫାଇନାଲ ମୁକାବିଲାରେ ଭାରତ ଇଂଲଣ୍ଡକୁ ପରାସ୍ତ କରିବା ପରେ ଗାଙ୍ଗୁଲି ଏତେ ଉତ୍ସାହିତ ହୋଇଯାଇଥିଲେ ଯେ ସେ ନିଜ ଶାର୍ଟକୁ ମଧ୍ୟ ଖୋଲିଦେଇଥିଲେ। ନିକଟରେ ଏହି ଘଟଣାକୁ ମନେପକାଇ ଗାଙ୍ଗୁଲି କହିଛନ୍ତି,ଯେ ଯେତେବେଳେ ସେ ନିଜ ସାର୍ଟକୁ ଖୋଲୁଥିଲେ ସେତେବେଳେ ତାଙ୍କୁ ଭିଭିଏସ ଲକ୍ଷ୍ମଣ ଏମିତି ନ କରିବାକୁ କହିଥିଲେ। କିନ୍ତୁ ଜିତିବାର ଜୋଶ୍‌ରେ ଗାଙ୍ଗୁଲି ଏତେ ମାତ୍ରାରେ ଉତ୍ସାହିତ ହୋଇଥିଲେ ଯେ ସେତେବେଳେ ସେ ଲକ୍ଷ୍ମଣଙ୍କ କଥା ମଧ୍ୟ ମାନି ନଥିଲେ। ସେ କହିଛନ୍ତି, ସେହି ଘଟଣା ଆଜି ବି ବେଳେବେଳେ ତାଙ୍କ ଆଖି ସାମ୍ନାକୁ ଆସିଯାଏ। ଗାଙ୍ଗୁଲି କହିଛନ୍ତି, ଏମିତି କଣ ପାଇଁ କରିଥିଲେ ବୋଲି ତାଙ୍କ ଝିଅ ମଧ୍ୟ ବେଳେବେଳେ ପଚାରନ୍ତି। ଗାଙ୍ଗୁଲି ୧୧୩ ଟେଷ୍ଟରେ ୪୨.୧୭ ହାରରେ ୭,୨୧୨ ରନ କରିଥିଲେ ଏବଂ ୩୧୧ ଏକଦିବସୀୟ ମ୍ୟାଚରେ ୪୧.୦୨ ହାରରେ ୧୧,୩୬୩ ରନ କରିଥିଲେ।

Share