Categories: ଖେଳ

ଭାରତୀୟ ମହିଳା ଦଳରେ ୧୫ ବର୍ଷୀୟା ଶେଫାଳୀ

ନୂଆଦିଲ୍ଲୀ, ୬।୯ (ପି.ଟି.)- ଦକ୍ଷିଣ ଆଫ୍ରିକା ମହିଳା ଦଳ ବିପକ୍ଷ ଆଗାମୀ ସୀମିତ ଓଭର ସିରିଜ ଲାଗି ଗୁରୁବାର ଭାରତୀୟ ଦଳ ଘୋଷଣା କରାଯାଇଛି। ୫ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ୩ଟି ମ୍ୟାଚ୍‌ ପାଇଁ ଘୋଷିତ ଭାରତୀୟ ଦଳରେ ୧୫ ବର୍ଷୀୟା ବ୍ୟାଟ୍ସଓମ୍ୟାନ ଶେଫାଳୀ ବର୍ମାଙ୍କୁ ସ୍ଥାନ ଦିଆଯାଇଛି। ଭେଟେରାନ ମିଥାଲି ରାଜଙ୍କ ଟି୨୦ ଅବସର ପରେ ଶେଫାଳୀଙ୍କ ଯୁଗ ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା ହୋଇଛି। ହରିୟାଣା ଜନ୍ମିତ ଶେଫାଳୀ ଜଣେ ଡାହାଣହାତୀ ବ୍ୟାଟ୍ସଓମ୍ୟାନ ହୋଇଥିବାବେଳେ ସାମୟିକ ଅଫ୍‌-ସ୍ପିନ ବୋଲିଂ ମଧ୍ୟ କରନ୍ତି। ପୂର୍ବରୁ ମହିଳା ଟି୨୦ ଚ୍ୟାଲେଞ୍ଜର୍ସ ପ୍ରତିଯୋଗିତା ସମେତ ବିଭିନ୍ନ ବୟସବର୍ଗର ମ୍ୟାଚ୍‌ରେ ପ୍ରଭାବୀ ପ୍ରଦର୍ଶନ ଲାଗି ଶେଫାଳୀଙ୍କୁ ସିନିୟର ଦଳରେ ସାମିଲ କରାଯାଇଛି। ମହିଳା ଟି୨୦ ଚ୍ୟାଲେଞ୍ଜର୍ସରେ ସେ ମିଥାଲିଙ୍କ ନେତୃତ୍ୱାଧୀନ ଭେଲୋସିଟି ଦଳରେ ଖେଳିଥିଲେ। ତାଙ୍କ ଷ୍ଟ୍ରାଇକରେଟ୍‌ ୧୫୦ରୁ ଊର୍ଦ୍ଧ୍ୱ ରହିଛି। ତେବେ ସର୍ବକନିଷ୍ଠା ଖେଳାଳି ଭାବେ ଭାରତୀୟ ମହିଳା କ୍ରିକେଟ୍‌ ଦଳରେ ସ୍ଥାନ ପାଇବାର ରେକର୍ଡ ଗର୍ଗି ବାନାର୍ଜୀଙ୍କ ନାମରେ ରହିଛି। ଗର୍ଗି ୧୯୭୮ରେ ୧୪ ବର୍ଷ ୧୬୫ ଦିନରେ ଭାରତୀୟ ଦଳରେ ସାମିଲ ହୋଇ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ସେପ୍ଟେମ୍ବର ୨୪ରୁ ଏବଂ ଦିନିକିଆ ମ୍ୟାଚ୍‌ ଅକ୍ଟୋବର ୯ରୁ ଆରମ୍ଭ ହେବ।
ଭାରତୀୟ ଦିନିକିଆ ମହିଳା ଦଳ: ମିଥାଲି ରାଜ (ଅଧିନାୟିକା), ଜେମିମା ରୋଡ୍ରିଗ୍ବେଜ, ହରମନପ୍ରୀତ୍‌ କୌର (ଉପ-ଅଧିନାୟିକା), ପୁନମ ରାଉତ, ସ୍ମୃତି ମନ୍ଧାନା, ଦୀପ୍ତି ଶର୍ମା, ତାନିୟା ଭାଟିଆ (ଉଇକେଟ୍‌କିପର), ଝୁଲଣ ଗୋସ୍ବାମୀ, ଶିଖା ପାଣ୍ଡେ, ମାନସୀ ଯୋଶୀ, ଏକତା ବିସ୍ତ, ପୁନମ ଯାଦବ, ଡି. ହେମଲତା, ରାଜେଶ୍ୱରୀ ଗାଏକ୍ୱାଡ ଓ ପ୍ରିୟା ପୁନିଆ।
ପ୍ରଥମ ୩ଟି ଟି୨୦ ମ୍ୟାଚ୍‌ ପାଇଁ ଭାରତୀୟ ଦଳ: ହରମନପ୍ରୀତ୍‌ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପ-ଅଧିନାୟିକା), ଜେମିମା ରୋଡ୍ରିଗ୍ବେଜ, ଦୀପ୍ତି ଶର୍ମା, ତାନିୟା ଭାଟିଆ(ଉଇକେଟ୍‌କିପର), ପୁନମ ଯାଦବ, ଶିଖା ପାଣ୍ଡେ, ଅରୁନ୍ଧତୀ ରେଡ୍ଡୀ, ପୂଜା ଭଷ୍ଟ୍ରାକର, ରାଧା ଯାଦବ, ଭେଦା କ୍ରିଷ୍ଣାମୂର୍ତ୍ତୀ, ହର୍ଲିନ ଦେଓଲ, ଅଞ୍ଜୁ ପାଟିଲ, ଶେଫାଳୀ ବର୍ମା ଓ ମାନସୀ ଯୋଶୀ।

Share