Categories: ଖେଳ

ଭାରତୀୟ ମହିଳା ହକି ଦଳକୁ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଯୋଗ୍ୟତା

ହିରୋଶିମା,୨୨।୬(ପିଟି): ଭାରତୀୟ ମହିଳା ହକି ଦଳ ଶନିବାର ଟୋକିଓ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ଫାଇନାଲ ରାଉଣ୍ଡରେ ସ୍ଥାନ ପକ୍କା କରିଛି। ଶନିବାର ଏଠାରେ ଖେଳାଯାଇଥିବା ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସର ସେମିଫାଇନାଲରେ ଭାରତୀୟ ଦଳ ନିମ୍ନ ର଼୍ୟାଙ୍କ ଚିଲକିୁ ୪-୨ ବ୍ୟବଧାନରେ ହରାଇ ଦେଇଛି। ବିଜୟୀ ଦଳ ଲାଗି ଗୁରଜୀତ କୌର ଡବଲ ଗୋଲ ଦେଇଥିବାବେଳେ ଅଧିନାୟକ ରାଣୀ ରାମ୍‌ପାଲ ଓ ନବନୀତ କୌର ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ।
ଚିଲି ଦଳ ଟିମ୍‌ ଇଣ୍ଡିଆକୁ ଚକିତ କରି ମ୍ୟାଚ୍‌ର ୧୮ତମ ମିନିଟ୍‌ରେ ଅଗ୍ରଣୀ ହାସଲ କରିଥିଲା। କିନ୍ତୁ ୨୨ ତମ ମିନିଟ୍‌ରେ ଗୁରଜୀତ କୌରଙ୍କ ଗୋଲ ବଳରେ ମ୍ୟାଚ୍‌ ବରାବର ସ୍ଥିତିକୁ ଆସିଥିଲା। ପ୍ରଥମାର୍ଦ୍ଧ ସୁଦ୍ଧା ଏହି ସ୍କୋର ଲାଇନ ଜାରି ରହିଥିଲା। ତୃତୀୟ କ୍ୱାର୍ଟରରେ ଭାରତ ଦଳ ଦୁଇଟି ଗୋଲ ସ୍କୋର କରିଥିଲା। ନବନୀତ କୌର ୩୧ତମ ମିନିଟ୍‌ରେ ଏବଂ ଗୁରଜୀତ ୩୭ତମ ମିନିଟ୍‌ରେ ଦଳ ପାଇଁ ୩ୟ ତଥା ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇଥିଲେ। ମାନୁଏଲା ଉରୋଜ (୪୩ତମ ମିନିଟ୍‌) ଚିଲି ଲାଗି ଏକ ଗୋଲ ପରିଶୋଧ କରିଥିଲେ। ଭାରତୀୟ ଅଧିନାୟିକା ରାଣୀ ରାମ୍‌ପାଲ (୫୭ତମ)ଙ୍କ ଗୋଲ ଦକ୍ଷିଣ ଆମେରିକୀୟ ଦଳଠାରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲା। ଏହି ବିଜୟକୁ ଦଳୀୟ ଖେଳାଳି ଲାଲରେସିଆମିଙ୍କ ବାପାଙ୍କ ଲାଗି ଉତ୍ସର୍ଗ କରିଥିବା ଅଧିନାୟିକା ରାଣୀ କହିଛନ୍ତି। ଲାଲରେସିଆମିଙ୍କ ବାପାଙ୍କ ନିକଟରେ ପରଲୋକ ଘଟିଛି। ଭାରତୀୟ ଦଳ ରବିବାର ଅନୁଷ୍ଠିତ ହେବାକୁ ଥିବ ଫାଇନାଲରେ ଆୟୋଜକ ଜାପାନ ସହ ମୁକାବିଲା କରିବ। ପ୍ରତିଯୋଗିତାର ଦ୍ୱିତୀୟ ସେମିଫାଇନାଲରେ ରୁଷିଆକୁ ପେନାଲ୍ଟି ଶୁଟ୍‌ଆଉଟ୍‌ (୩-୧)ରେ ହରାଇ ଦେଇଛି ଜାପାନ। ଧାର୍ଯ୍ୟ ସମୟ ସୁଦ୍ଧା ଉଭୟ ଦଳ ୧-୧ ଗୋଲର ବରାବର ସ୍ଥିତିରେ ଥିଲେ।

Share