Categories: ଜାତୀୟ

ଭାରତୀୟ ମୁସଲମାନଙ୍କ ପୂର୍ବଜ ହିନ୍ଦୁ ଥିଲେ:ଭିଏଚ୍‌ପି

କୋଲକାତା,୭।୧୦:ଦୁର୍ଗାପୂଜା ଅବସରରେ କୋଲକାତା ପୂଜା ମଣ୍ଡପରେ ପୂଜା କରିବାକୁ ନେଇ ତୃଣମୂଳ କଂଗ୍ରେସ ଏମ୍‌ପି ନୁଶରତ୍‌ ଜହାଁ ପୁଣି ଚର୍ଚ୍ଚାରେ ଅଛନ୍ତି। ଏହାକୁ ନେଇ ବହୁ ମୁସଲମାନ ସଂଗଠନ ଆପତ୍ତି ଉଠାଇଛନ୍ତି। ଭାରତୀୟ ମୁସଲମାନଙ୍କ ପୂର୍ବଜ ହିନ୍ଦୁ ଥିଲେ ବୋଲି ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ପକ୍ଷରୁ କୁହାଯାଇଛି। ଭିଏଚ୍‌ପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର କହିଛନ୍ତି, ଆଜି କେବଳ ଭାରତରେ ନୁହେଁ, ଅନେକ ମୁସଲମାନ ଦେଶରେ ରାମଲୀଳାର ଆୟୋଜନ କରାଯାଉଛି। କୌଣସି ମୁସଲମାନ ବ୍ୟକ୍ତି ପୂଜାପାର୍ବଣରେ ଭାଗ ନେବା ଅର୍ଥ ନୁହେଁ ସେ ନିଜ ଧର୍ମ ପରିବର୍ତ୍ତନ କରିବା। ରମଜାନ ମାସରେ ଅନେକ ହିନ୍ଦୁ ମଧ୍ୟ ଇଫତାର୍‌ ପାର୍ଟିର ଆୟୋଜନ କରିଥାଆନ୍ତି। ଭାରତୀୟ ମୁସଲମାନଙ୍କ ପୂର୍ବଜ ହିନ୍ଦୁ ଥିଲେ, ଏଥିରେ ସନ୍ଦେହ ନାହିଁ ବୋଲି ଆଲୋକ କୁମାର କହିଛନ୍ତି। ସୂଚନାଯୋଗ୍ୟ, ନୁଶରତ ସ୍ବାମୀ ନିଖିଲ ଜୈନଙ୍କ ସହ ଦୁର୍ଗାପୂଜା ପାଳନ କରିବାକୁ ନେଇ ମୁସଲମାନ ସଂଗଠନ ଆପତ୍ତି ଉଠାଇଛନ୍ତି। ପୂର୍ବରୁ ମଧ୍ୟ ନୁଶରତ୍‌ଙ୍କ ନାଁରେ ବିଭିନ୍ନ ମୁସଲମାନ ସଂଗଠନ ପକ୍ଷରୁ ଫତଓ୍ବା ଜାରି କରାଯାଇଥିଲା।

Share