ଭାରତୀୟ ଯବାନଙ୍କୁ ହନିଟ୍ରାପ୍‌ରେ ଫସାଇବାକୁ ଯୋଜନା କରୁଛି ଆଇଏସ୍‌ଆଇ

ଇସ୍‌ଲାମାବାଦ୍‌,୩୦।୧୨: ପାକିସ୍ତାନୀ ଗୁଇନ୍ଦା ବିଭାଗ ଆଇଏସ୍‌ଆଇ ସୋସିଆଲ ମିଡିଆ ଜରିଆରେ ଭାରତୀୟ ଯବାନଙ୍କୁ ହନିଟ୍ରାପ୍‌ରେ ଫସାଇବାକୁ ବଡ଼ ଯୋଜନା କରୁଥିବା ଜଣାପଡ଼ିଛି। ଏହି ପୂରା ଯୋଜନାକୁ ଆଇଏସ୍‌ଆଇର ଜଣେ ଅଧିକାରୀଙ୍କ ଦ୍ୱାରା କରାଯିବାକୁ ପ୍ରସ୍ତୁତି କରାଯାଇଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଏବେ ଏହି ମାମଲାର ଯାଞ୍ଚ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ)କୁ ହସ୍ତାନ୍ତର କରିଛି। କିଛି ଦିନ ତଳେ ଆନ୍ଧ୍ରପ୍ରଦେଶର କାଉଣ୍ଟର ଇଣ୍ଟଲିଜେନ୍ସ ସେଲ୍‌ ହନିଟ୍ରାପ୍‌ ମାମଲାର ପର୍ଦ୍ଦାଫାଶ କରିଥିଲା। ଏଥିରେ କିଛି ନୌସେନାର ଯବାନ ମଧ୍ୟ ସାମିଲ ରହିଥିଲେ। କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ଓ ଆନ୍ଧ୍ର ପୋଲିସର ମିଳିତ ଅଭିଯାନରେ ଏହି ଘଟଣାରେ ୭ଜଣଙ୍କୁ ଗିରଫ କରାଯାଇଥିଲା। ଅପରପକ୍ଷେ ଏହି ର଼୍ୟାକେଟର ପର୍ଦ୍ଦାଫାଶ ହେବା ପରେ ଭାରତୀୟ ନୌସେନା ନିଜ ଯବାନଙ୍କୁ ସୋସିଆଲ ମିଡିଆ ଓ ସ୍ମାର୍ଟଫୋନରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସୀମାରେ ମୁତୟନ ଥିବା ଯବାନ ନିଜ ପାଖରେ ଫୋନ ରଖିପାରିବେ ନାହିଁ ବୋଲି ବାରଣ କରାଯାଇଥିଲା।

Share