Categories: ଜାତୀୟ

ଭାରତୀୟ ଲିଚୁ ରପ୍ତାନୀ ବନ୍ଦ ପାଇଁ ହେଉଛି ଷଡ଼ଯନ୍ତ୍ର: ପ୍ରେମ କୁମାର

ପାଟନା,୨୨।୬: ବିହାରରେ ମସ୍ତିଷ୍କ ଜ୍ୱରରେ ଶିଶୁ ମୃତ୍ୟୁ ଥମିବାର ନାଁ ଧରୁନି। ଏତେ ସଂଖ୍ୟକ ଶିଶୁ ଏହି ରୋଗରେ ଆକ୍ରାନ୍ତ ହେବାର ପ୍ରକୃତ କାରଣ ଖୋଜା ଚାଲିଛି। ତେବେ କାରଣ ଜଣା ପଡୁନି। ମାତ୍ର ଲିଚୁ ଖାଇବା ଦ୍ୱାରା ଏଭଳି ହେଉଥିବା ଦର୍ଶାଯାଉଛି। ପ୍ରକୃତରେ ଲିଚୁ ଏଥିପାଇଁ ଦାୟୀ କି ନାହିଁ ସେନେଇ କୌଣସି ଠୋସ୍‌ ରିପୋର୍ଟ ମଧ୍ୟ ଏପର୍ଯ୍ୟନ୍ତ ମିଳିନି। ଏହି ରୋଗ ପାଇଁ ଲିଚୁକୁ ଦାୟୀ କରିବା ଏକ ଷଡ଼ଯନ୍ତ୍ର ବୋଲି ବିହାର କୃଷିମନ୍ତ୍ରୀ ପ୍ରେମ କୁମାର ଅଭିଯୋଗ କରିଛନ୍ତି। ଲିଚୁ ଉତ୍ପାଦନରେ ଭାରତ ସାରା ପୃଥିବୀରେ ଏକ ନମ୍ବର ସ୍ଥାନରେ ରହିଛି। ଏହା ପଛକୁ ରହିଛି ଚାଇନା। ବିହାରରେ ୬୦ ପ୍ରତିଶତ ଲିଚୁ ଉତ୍ପାଦିତ ହୋଇଥାଏ। ଲିଚୁ ଯୋଗୁ ମସ୍ତିଷ୍କ ଜ୍ୱର ହେବା ଗୁଜବ ପ୍ରଚାର ଯୋଗୁ ଭାରତୀୟ ଲିଚୁ ରପ୍ତାନୀ ନ ହୋଇ ବିଭିନ୍ନ ବନ୍ଦରରେ ପଡ଼ି ରହିଛି। ଏହାଦ୍ୱାରା ଦେଶର ଲିଚୁ ଚାଷୀଙ୍କର କୋଟି କୋଟି ଟଙ୍କା କ୍ଷତି ହେବାରେ ଲାଗିଛି। ଭାରତୀୟ ଲିଚୁକୁ ଅନ୍ତର୍ଜାତୀୟସ୍ତରରେ ବଦନାମ୍‌ କରିବା ପାଇଁ ଏହା ଯୋଜନାବଦ୍ଧ ଭାବେ କରାଯାଉଥିବା ଅଭିଯୋଗ କରିଛନ୍ତି ଭାଜପା ନେତା ରାଜୀବ ପ୍ରତାପ ରୁଡ୍ଡୀ। ଏଥିରେ ହୁଏତ ଚାଇନାର ହାତ ଥାଇପାରେ ବୋଲି ଅନୁମାନ କରାଯାଉଛି। ଭାରତୀୟ ଲିଚୁର ଚାହିଦା ଅନ୍ତର୍ଜାତୀୟ ବଜାରରେ କମିଲେ ଚାଇନାକୁ ଏହାର ଫାଇଦା ହିଁ ମିଳିବ।

Share