Categories: ଫୁରସତ

ଭାରତୀୟ ସେନାଙ୍କୁ ସୁରକ୍ଷା ଦେଇଥାଏ ଏହି ମନ୍ଦିର

ରାଜସ୍ଥାନର ଜୈସଲମେରଠାରୁ ପ୍ରାୟ ୧୨୨ କିଲୋମିଟର ଦୂର ତନୋଟଠାରେ ଏମିତି ଏକ ଦେବୀ ମନ୍ଦିର ରହିଛି ଯାହା ସୀମାରେ ଥିବା ଯବାନଙ୍କର ଜୀବନ ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି। କୁହାଯାଏ କି ଏହି ମନ୍ଦିରରେ ଏମିତି ଶକ୍ତି ଅଛି ଯାହା ଦେଶର ବୀର ଯବାନଙ୍କୁ ରକ୍ଷା କରିବାରେ ସହାୟକ ହୋଇଥାଏ। ଲୋକକଥା ଅନୁଯାୟୀ ୧୯୬୫ରେ ପାକିସ୍ତାନ ସେନା ଏହି ଅଞ୍ଚଳରେ ପାଖାପାଖି ୩ ହଜାର ବୋମାମାଡ କରିଥିଲେ। ଫଳରେ ଉକ୍ତ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଥିଲା କିନ୍ତୁ ମନ୍ଦିରର ସାମାନ୍ୟ କ୍ଷତି ହୋଇ ନ ଥିଲା। ଆହୁରି ମଧ୍ୟ ଶୁଣିବାକୁ ମିଳେ ମନ୍ଦିର ପରିସରରେ ଯେତେ ବୋମା ପଡିଥିଲା ସବୁ ଗୁଡିକ ନିଷ୍କ୍ରିୟ ହୋଇ ଯାଇଥିଲା। ସେହିଭଳି ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଏହି ମନ୍ଦିର ନିକଟରେ ସାଢେ ୪ଶହରୁ ଅଧିକ ବୋମା ପଡିଥିଲେ ମଧ୍ୟ ସବୁ ଅକାମି ହୋଇ ଯାଇଥିଲା। ଏହି ମନ୍ଦିର ପରିସରରେ ଭାରତୀୟ ସେନାଙ୍କର ଏକ ବିଜୟ ସ୍ତମ୍ଭ ନିର୍ମାଣ କରାଯାଇଛି ଯେଉଁଠି ପ୍ରତିବର୍ଷ ଶହୀଦ ଯବାନଙ୍କ ସ୍ମୃତିରେ ଉତ୍ସବ ପାଳନ କରାଯାଇଥାଏ। କେବଳ ଏତିକି ନୁହେଁ ଏଠାରେ ପଡିଥିବା ସମସ୍ତ ବୋମାକୁ ମନ୍ଦିର ପରିସରରେ ଥିବା ମ୍ୟୁଜିୟମରେ ରଖାଯାଇଛି। ଏହି ମନ୍ଦିରର ସମସ୍ତ ଦାୟିତ୍ୱ ସୁରକ୍ଷାକର୍ମୀଙ୍କୁ ଦିଆଯାଇଛି। ମନ୍ଦିରରେ ହିଙ୍ଗଲାଜ ମାତାଙ୍କୁ ପୂଜା କରାଯାଇଥାଏ ଯିଏ ଆଓ୍ବଡ ମାତା ନାମରେ ମଧ୍ୟ ପରିଚିତ। ଏହା ପାକିସ୍ତାନ ସୀମାରେ ଥିବା ବେଳେ ଦେବୀ ମା’ଙ୍କ ଆଉ ଏକ ମନ୍ଦିର ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ରହିଛି। ମନ୍ଦିରର ଶିଳାଲେଖରେ ଏହି ସମସ୍ତ କାହାଣୀ ଲେଖାଯାଇଛି।

Share