Categories: ଜାତୀୟ

ଭାରତୀୟ ସେନାରୁ ବିଦାୟ ନେବ ଘୋଡ଼ାସବାର ବାହିନୀ

ନୂଆଦିଲ୍ଲୀ,୧୬।୫: ଭାରତୀୟ ସେନାରୁ ଘୋଡ଼ାସବାର ବାହିନୀକୁ ଖୁବ୍‌ଶୀଘ୍ର ବିଦାୟ ଦିଆଯିବ। ଏହାବଦଳରେ ଟ୍ୟାଙ୍କର ବ୍ୟବହାର କରାଯିବ। ସେନାରେ ୬୧ ଘୋଡ଼ାସବାର ବାହିନୀ ୧୯୫୩ରୁ କାର୍ଯ୍ୟ କରୁଛି। ତେବେ ଗତ ୨୫ ବର୍ଷ ଧରି ଘୋଡ଼ାସବାର ବାହିନୀ କୌଣସି ଅପରେଶନ୍‌ରେ ଅଂଶଗ୍ରହଣ କରି ନାହିଁ। ସେବାନିବୃତ ଲ୍ୟୁଟନାଟ୍‌ ଜେନେରାଲ ଡି.ବି. ଶେକଟକର କମିଟିର ପ୍ରସ୍ତାବ ଆଧାରରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଘୋଡ଼ାସବାର ବାହିନୀକୁ ହଟାଇବା ନେଇ ସେନାର କିଛି କର୍ମଚାରୀ ସହମତି ପ୍ରକାଶ କରି ନାହାଁନ୍ତି। ଏହା ସେନାର ଐତିହାସିକ ପରମ୍ପରା ବୋଲି ସେମାନେ କହିଛନ୍ତି। ଜୟପୁରସ୍ଥିତ ଘୋଡ଼ାସବାର ବାହିନୀରେ ୭୨ ଟ୍ୟାଙ୍କକୁ ସାମିଲ୍‌ କରାଯିବ। ଏହି ରେଜିମେଣ୍ଟ୍‌ରେ ୩୦୦ ଘୋଡ଼ା ରହିଛନ୍ତି। ସେଥିମଧ୍ୟରୁ ଜୟପୁରରେ ୨୦୦ ଏବଂ ଦିଲ୍ଲୀରେ ୧୦୦ ଘୋଡ଼ା ରହିଛନ୍ତି। ସୂଚନାଯୋଗ୍ୟ, ଘୋଡ଼ାସବାର ବାହିନୀଙ୍କୁ ରାଷ୍ଟ୍ରପତିଙ୍କ ସୁରକ୍ଷାକାର୍ଯ୍ୟରେ ମଧ୍ୟ ନିୟୋଜିତ କରାଯାଇଥାଏ।

Share