Categories: ଜାତୀୟ

ଭାରତୀୟ ସେନାର କଡ଼ା ଜବାବ: ୬ ପାକିସ୍ତାନୀ ଫରଓ୍ବାର୍ଡ ପୋଷ୍ଟ ଧ୍ୱଂସ

ଶ୍ରୀନଗର,୨୨।୨: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗି ରହିଛି। ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ତେବେ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଛି। ଭାରତୀୟ ସେନାର ପାଲଟା ଆକ୍ରମଣରେ ୩ ଜଣ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ଘଟିବା ସହିତ ୧୪ ଆହତ ହୋଇଛନ୍ତି। ଏଥିରେ ପାକିସ୍ତାନର ୬ଟି ଫରଓ୍ବାର୍ଡ ପୋଷ୍ଟ ଧ୍ୱଂସ ହୋଇଯାଇଥିବା କୁହାଯାଉଛି। ଗୁରୁବାର ନିୟନ୍ତ୍ରଣ ରେଖାରେ ହଠାତ୍‌ ପାକିସ୍ତାନ ଭାରତୀୟ ପୋଷ୍ଟଗୁଡ଼ିକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରିବା ଆରମ୍ଭ କରିଥିଲା। ଏଥିରେ ସୀମାବର୍ତ୍ତୀ ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ। ଲୋକେ ଭୟରେ ଦୌଡ଼ି ବଙ୍କରକୁ ପଳାଇଥିଲେ। ସେହିପରି ଶୁକ୍ରବାର ମଧ୍ୟ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏହାପରେ ଭାରତୀୟ ସେନା ପକ୍ଷରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା। ଏଠାରେ ବରଫାପାତ ହେଉଥିବାରୁ ଏହାର ସୁଯୋଗ ନେଇ ପାକ୍‌ ଅଧିକୃତ କଶ୍ମୀରର ଲଞ୍ଚି ପ୍ୟାଡ୍‌ଗୁଡ଼ିକ ବେଶ୍‌ ସକ୍ରିୟ ହୋଇଉଠିଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ଅସ୍ତ୍ରବିରତିର ବାହାନା କରି ପାକିସ୍ତାନ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ଲାଗି ଉଦ୍ୟମ କରୁଥିବା କୁହାଯାଉଛି।

Share