ଭାରତୀୟ ସେନା ଦିବସ: ଶାନ୍ତି, ସୁରକ୍ଷା ଓ ଏକତା ସୁନିଶ୍ଚିତ କରେ ସେନା

ପରମବୀର ଚକ୍ର କ୍ୟାପଟେନ ବିକ୍ରମ ବାତ୍ରା ଥରେ କହିଥିଲେ, ‘ମୁଁ ତ୍ରିରଙ୍ଗା ଉଡ଼ାଇ ଫେରିପାରେ କିମ୍ବା ସେଥିରେ ଆଚ୍ଛାଦିତ ହୋଇ ଫେରିପାରେ, କିନ୍ତୁ ମୁଁ ନିଶ୍ଚିତ ଫେରିବି’। ତାଙ୍କର ଏହି ଉକ୍ତିରୁ ଜଣାପଡେ ଦେଶର ପ୍ରକୃତ ବୀର ହେଉଛନ୍ତି ସେନାର ଯବାନ। ଆମକୁ ସୁରକ୍ଷିତ ଓ ସୁଖରେ ରଖିବା ପାଇଁ ସେମାନଙ୍କ ତ୍ୟାଗର ତୁଳନା ନାହିଁ। ଏଣୁ ବୀର ଯବାନମାନଙ୍କୁ ସମ୍ମାନ ଜଣାଇବା ପାଇଁ ଭାରତରେ ପ୍ରତିବର୍ଷ ୧୫ ଜାନୁୟାରୀରେ ଭାରତୀୟ ସେନା ଦିବସ ପାଳନ କରାଯାଏ। ୧୯୪୯ ମସିହାରେ ଏହି ଦିନ ଭାରତର ଶେଷ ବ୍ରିଟିଶ କମାଣ୍ଡର୍‌-ଇନ୍‌-ଚିଫ୍‌ ସାର୍‌ ଫ୍ରାନ୍ସିସ୍‌ ବୁଚର୍‌ଙ୍କ ଠାରୁ ଭାରତର ଫିଲ୍‌ଡ ମାର୍ଶଲ କେ.ଏମ୍‌. କରିଅପ୍ପା ଦାୟିତ୍ୱ ଗ୍ରହଣ କରିଥିଲେ। କରିଅପ୍ପା ଥିଲେ ଭାରତୀୟ ସେନାର ପ୍ରଥମ କମାଣ୍ଡର-ଇନ୍‌-ଚିଫ୍‌। ଦିଲ୍ଲୀ ସମେତ ଦେଶର ସବୁ ସେନା କମାଣ୍ଡ ହେଡକ୍ୱାର୍ଟରରେ ଏହି ଦିବସ ପାଳିତ ହୋଇଥାଏ। ସେନା ଦିବସରେ ଦେଶ ସୁରକ୍ଷା ଲାଗି ବଳିଦାନ ଦେଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ସମ୍ମାନ ପ୍ରଦର୍ଶନ କରାଯାଏ। ଏହି ବର୍ଷ ୭୨ତମ ସେନା ଦିବସ ପାଳନ କରାଯାଉଛି। ସେନାର ସିଦ୍ଧାନ୍ତ ହେଉଛି ‘ସର୍ଭିସ ବିଫୋର୍‌ ସେଲ୍‌ଫ’।
ବାହ୍ୟ ଓ ଆଭ୍ୟନ୍ତରୀଣ ବିଦପକୁ ପ୍ରତିହତ କରି ଦେଶରେ ଶାନ୍ତି, ସୁରକ୍ଷା ଓ ଏକତା ସୁନିଶ୍ଚିତ କରିବା ଏହି ଦିବସର ଲକ୍ଷ୍ୟ।
ବିଶ୍ୱରେ ଭାରତୀୟ ସେନା ସବୁଠୁ ଶକ୍ତିଶାଳୀ ଓ ଏବେ ଆମେରିକା, ରୁଷିଆ ଓ ଚାଇନା ଭଳି ସୁପରପାଓ୍ବାର ଦେଶଗୁଡିକ ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ। ଦେଶର ବିପଦ ସମୟରେ କିଭଳି ଧୈର୍ଯ୍ୟର ସହ ସାହସ ଜୁଟାଇ ସାମ୍‌ନା କରିବାକୁ ହୁଏ ସେ ବିଷୟରେ ସେନା ଦିବସ ଲୋକମାନଙ୍କୁ ବାର୍ତ୍ତା ଦେଇଥାଏ। ଏହା ଯୁବକମାନଙ୍କ ମନରେ ଦେଶାମତ୍ ଭାବନା ସୃଷ୍ଟି କରିବା ସହ ସେନାରେ ଯୋଗ ଦେଇ ଦେଶ ସେବା କରିବା ଲାଗି ଏକ ବାର୍ତ୍ତା ଦେଇଥାଏ । ଏହି ଦିବସରେ ଯୁଦ୍ଧରେ ଦେଶ ସୁରକ୍ଷା ପାଇଁ ସେନାଙ୍କ ସାହସିକତା ଲାଗି ବିଭିନ୍ନ ମେଡାଲ ଓ ପୁରସ୍କାର ପ୍ରଦାନ କରାଯାଇଥାଏ। ଶହୀଦ ଯବାନଙ୍କ ପରିବାରକୁ ମଧ୍ୟ ସମ୍ମାନିତ କରାଯାଏ। ଏହି ଅବସରରେ ପରେଡ ଅନୁଷ୍ଠିତ ହୋଇଥାଏ। ସେନା ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ତାଙ୍କ ଦାୟିତ୍ୱ ସମ୍ପର୍କରେ ଲୋକମାନଙ୍କୁ ଜଣାଇବାର ସୁଯୋଗ ମିଳିଥାଏ। ମେଜର ସୋମନାଥ ଶର୍ମା କହିଥିଲେ ‘ ଶତ୍ରୁ ଆମଠାରୁ ୫୦ ଗଜ ଦୂରରେ ରହିଛନ୍ତି । ଆମ ସଂଖ୍ୟା ଅଧିକ ଓ ଆମ ଉପରେ ବିଧ୍ୱଂସକାରୀ ଗୁଳିଗୋଳା ବର୍ଷଣ ହେଉଛି। ଏ ପରିସ୍ଥିତିରେ ମୁଁ ଗୋଟିଏ ଇଞ୍ଚ ବି ପଛକୁ ହଟି ପାରିବିନାହିଁ । ଶେଷରେ ଜଣେ ଥିବାଯାଏ ଓ ବନ୍ଧୁକରେ ଶେଷ ଗୁଳି ଥିବାଯାଏ ଆମେ ଲଢିବୁ।’ ସେହିଭଳି ଫିଲ୍ଡ ମାର୍ଶଲ ଶାମ୍‌ ମାନେସ୍କା କହିଛନ୍ତି, ‘ ବିନା ଲିଖିତ ନିର୍ଦ୍ଦେଶରେ ଆମେ ପଛକୁ ହଟିପାରିବୁ ନାହିଁ ଏବଂ ଏହି ନିର୍ଦ୍ଦେଶ କେବେ ବି ଦିଆଯାଇପାରିବନାହିଁ।’ ସେନା ଦିବସ ଅବସରରେ ଏହି ସବୁ ଦେଶଭକ୍ତିର ଉକ୍ତି କାର୍ଯ୍ୟରତ ଯବାନ ଓ ଆଗାମୀପିଢିର ଯବାନ ହେବାକୁ ଅପେକ୍ଷାରେ ଥିତ୍ବା ଯୁବଗୋଷ୍ଠୀଙ୍କୁ ପ୍ରେରଣା ଯୋଗାଇବ।

Share