ନୂଆଦିଲ୍ଲୀ,୩୧।୮: ଦୁଇ ଛାତ୍ରୀଛାତ୍ରଙ୍କ ରାସ୍ତାରେ କଳାବାଜି (ସମରସଲ୍ଟିଂ) କରୁଥିବାବେଳର ଏକ ଭିଡିଓ କିଛିଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ ଭିଡିଓରେ ପ୍ରଥମେ ଛାତ୍ର ଓ ପରେ ଛାତ୍ରୀ ରାସ୍ତାରେ ନିଜର କଳାବାଜି ଦେଖାଉଛନ୍ତି। ଏହାକୁ ଶେୟାର କରିଛନ୍ତି ୫ ଅଲିମ୍ପିକ୍ସ ପଦକ ବିଜେତା ଜିମ୍ନାଷ୍ଟ ନାଡିଆ କୋମାନେସି। ସେ ଏହାର କ୍ୟାପଶନରେ ଲେଖିଛନ୍ତି, ଏହା ଅତି ଚମତ୍କାର। ଏପର୍ଯ୍ୟନ୍ତ ଭିଡିଓକୁ ଏକ ନିୟୁତ ୟୁଜର୍ସ ଦେଖିସାରିଛନ୍ତି। ୭୪ ହଜାରରୁ ଅଧିକ ୟୁଜର୍ସ ପସନ୍ଦ କରିଛନ୍ତି। କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଏହାକୁ ଦେଖିସାରିଛନ୍ତି। ସେ କହିଛନ୍ତି, ଦୁଇ ଛାଛ୍ରୀଛାତ୍ରଙ୍କ ନିକଟରେ ଲୁକ୍କାୟିତ ପ୍ରତିଭା ରହିଛି। ସେମାନଙ୍କ ସହ ଯୋଗାଯୋଗ କରାଯିବ। ଯଦି ସେମାନଙ୍କୁ କେହି ମୋ ପାଖକୁ ଆଣନ୍ତି, ତେବେ ଦୁହିଁଙ୍କୁ ଜିମ୍ନାଷ୍ଟ ଏକାଡେମୀରେ ଟ୍ରେନିଂ ଦିଆଯିବ। ଉଲ୍ଲେଖଥାଉ କି, ରୋମାନିଆନ ଜିମ୍ନାଷ୍ଟ ନାଡିଆ ୧୯୭୬ ମଣ୍ଟ୍ରିଲ ଓ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ୫ ପଦକ ଜିତିଥିଲେ।