Categories: ଖେଳ

ଭାରତୀୟ ହକି ଦଳରେ ବୀରେନ୍ଦ୍ର, ଅମିତ

ଭୁବନେଶ୍ୱର, ୪।୨(କ୍ରୀଡ଼ା ପ୍ରତିନିଧି)-
ଏପଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ଖେଳିବାପାଇଁ ଭାରତ ପ୍ରସ୍ତୁତ। ଏଥର ଭାରତର ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱ ଚାମ୍ପିୟନ ବେଲଜିୟମ। କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୧୮ ଓ ୧୯ରେ ଅନୁଷ୍ଠିତ ମ୍ୟାଚରେ ଭାରତ ୫ ଗୋଲ ବ୍ୟବଧାନରେ ବିଜୟ ହାସଲ କରିଥିଲା। ପ୍ରଥମ ମ୍ୟାଚରେ ନେଦରଲାଣ୍ଡ୍ସକୁ ୫-୨ ଗୋଲରେ ହରାଇଥିବାବେଳେ ଦ୍ୱିତୀୟ ମ୍ୟାଚଟି ୩-୩ ଗୋଲରେ ବରାବର ରହିବାପରେ ଶୁଟ୍‌ଆଉଟରେ ଭାରତ ୩-୧ ଗୋଲରେ ବିଜୟୀ ହୋଇଥିଲା। କଳିଙ୍ଗରେ ହେବାକୁଥିବା ବେଲଜିୟମ ବିପକ୍ଷ ମ୍ୟାଚ ପାଇଁ ସୋମବାର ୨୪ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଏଥିରେ ପୂର୍ବପରି ଓଡ଼ିଶାର ଦୁଇ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି।
ଭାରତ-ବେଲଜିୟମ ମ୍ୟାଚ ଚଳିତମାସ ୮ ଓ ୯ ତାରିଖରେ ଅନୁଷ୍ଠିତ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପାଇଁ ମନପ୍ରୀତ ସିଂ ଅଧିନାୟକ ଓ ହରମନପ୍ରୀତ ସିଂ ଉପଅଧିନାୟକ ପଦ ବଜାୟ ରଖିଛନ୍ତି। ମାଲେସିଆରେ ଅନୁଷ୍ଠିତ ସୁଲତାନ ଜୋହର କପ୍‌ ହକିରେ ଭାରତକୁ ରୌପ୍ୟ ପଦକ ଜିତାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ରାଜ କୁମାର ପାଲ୍‌ ପୁରସ୍କାର ସ୍ବରୂପ ସିନିୟର ଦଳରେ ସ୍ଥାନ ପାଇଛନ୍ତି। ”ଅଲିମ୍ପିକ୍ସ ପୂର୍ବରୁ ସନ୍ତୁଳିତ ଦଳ ପାଇବା ଆମର ମୁଖ୍ୟ ଲକ୍ଷ୍ୟ। ଏଫଆଇଏଚ୍‌ ପ୍ରୋ ଲିଗ୍‌କୁ ଆମେ ସେହି ଲକ୍ଷ୍ୟରେ ଖେଳୁଛୁ। ଆମେ ଆଗାମୀ ୨ ମ୍ୟାଚରେ ବିଶ୍ୱର ଶ୍ରେଷ୍ଠ ଦଳକୁ ଭେଟିବାକୁ ଯାଉଛୁ। ତେଣୁ ଭଲ କମ୍ବିନେଶନ ସହିତ ଆମେ ମଧ୍ୟ ପଡ଼ିଆକୁ ଓହ୍ଲାଇବୁ। ପ୍ରଭାବୀ ପ୍ରଦର୍ଶନ ବଜାୟ ରଖିବା ଆମର ଲକ୍ଷ୍ୟ ରହିବ“ ବୋଲି କୋଚ୍‌ ଗ୍ରାହାମ ରିଡ୍‌ ପ୍ରକାଶ କରିଛନ୍ତି। ଚମତ୍କାର ଫର୍ମ ପାଇଁ ରାଜ କୁମାର ପାଲଙ୍କୁ ପୁରସ୍କାର ସ୍ବରୂପ ସିନିୟର ଦଳରେ ନିଆ ଯାଇଛି। ତାଙ୍କ ସ୍ପିଡ୍‌ ଓ କୌଶଳ ଅସାଧାରଣ। ତାଙ୍କ ପ୍ରତିଭାକୁ ଅଧିକ ବିକଷିତ କରିବା ପାଇଁ ବିଶ୍ୱର ନମ୍ବରଓ୍ବାନ ଦଳ ବିପକ୍ଷରେ ଖେଳିଲେ ସୁଯୋଗ ଦିଆ ଯାଇଛି ବୋଲି ରିଡ୍‌ କହିଛନ୍ତି।
ଭାରତୀୟ ଦଳ
ପି.ଆର. ଶ୍ରୀଜେଶ, କ୍ରିଷ୍ଣନ ବାହାଦୁର ପାଠକ, ହରମନପ୍ରୀତ ସିଂ(ଉପ-ଅଧିନାୟକ), ଗୁରିନ୍ଦର ସିଂ, ଅମିତ ରୋହିଦାସ, ସୁରେନ୍ଦର କୁମାର, ଜରମନପ୍ରୀତ ସିଂ, ରୂପିନ୍ଦରପାଲ ସିଂ, ମନପ୍ରୀତ ସିଂ(ଅଧିନାୟକ), ବିବେକ ସାଗର ପ୍ରସାଦ, ଚିଙ୍ଗଲେନସାନା ସିଂ, ରାଜ କୁମାର ପାଲ, ଦିଲପ୍ରୀତ ସିଂ, ହାର୍ଦ୍ଦିକ ସିଂ, ରମଣଦୀପ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ, ସମସେର ସିଂ, ଗୁରସାହିବଜିତ ସିଂ, କୋଥାଜିତ ସିଂ ଖାଡାଙ୍ଗବାମ, ବୀରେନ୍ଦ୍ର ଲାକ୍ରା, ନୀଳକାନ୍ତ ଶର୍ମା, ଗୁରଜାନ୍ତ ସିଂ, ଏସ.ଭି. ସୁନୀଲ।

Share