Categories: ଖେଳ

ଭାରତୀୟ ହକି ଦଳରେ ବୀରେନ୍ଦ୍ର, ଅମିତ

ନୂଆଦିଲ୍ଲୀ, ୨୧।୯- ବେଲଜିୟମ ଟୁର୍‌ ପାଇଁ ଶୁକ୍ରବାର ୨୦ ଜଣିଆ ଭାରତୀୟ ହକି ଦଳ ଘୋଷଣା କରାଯାଇଛି। ଏହି ଦଳରେ ଓଡ଼ିଶାର ଦୁଇ ଅଭିଜ୍ଞ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ମନପ୍ରୀତ ସିଂ ଦଳର ନେତୃତ୍ୱ ନେଉଥିବାବେଳେ ହରମନପ୍ରୀତ ସିଂ ଉପ-ଅଧିନାୟକ ମନୋନୀତ ହୋଇଛନ୍ତି। ଚଳିତମାସ ୨୬ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଭାରତୀୟ ଦଳ ଆଣ୍ଟ୍ବେର୍ପଠାରେ ବେଲଜିୟମ ବିପକ୍ଷରେ ୩ଟି ଏବଂ ସ୍ପେନ ବିପକ୍ଷରେ ୨ଟି ମ୍ୟାଚ ଖେଳିବ।
ଭାରତୀୟ ଦଳକୁ ଲଳିତ କୁମାର ଉପାଧ୍ୟାୟ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଲଳିତ ଶେଷଥରପାଇଁ ଭାରତ ପକ୍ଷରୁ ଭୁବନେଶ୍ୱରରେ ହକି ବିଶ୍ୱକପ ଖେଳିଥିଲେ। ସେହିପରି ଅଲିମ୍ପିକ ଟେଷ୍ଟ ଇଭେଣ୍ଟ ମିସ୍‌ କରିଥିବା ରୂପିନ୍ଦର ପାଲ୍‌ ସିଂ ମଧ୍ୟ ଦଳକୁ ଫେରିଛନ୍ତି। ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ପାଇଁ ବିଶ୍ରାମ ଦିଆଯାଇଥିବା ଅଭିଜ୍ଞ ଗୋଲକିପର ପି.ଆର. ଶ୍ରୀଜେଶ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି। ଦଳର ଅନ୍ୟ ଗୋଲକିପର ହେଲେ କ୍ରିଷ୍ଣନ ବାହାଦୂର ପାଠକ। ” ଦଳରେ ସ୍ଥାନ ପାଇଥିବା ସମସ୍ତ ଖେଳାଳି ପରସ୍ପରକୁ ଭଲଭାବେ ବୁଝିଛନ୍ତି, ତେଣୁ ଦଳର ପ୍ରଦର୍ଶନ ଭଲ ହେବା ଆଶା ରହିଛି। ଲଳିତ ଉପାଧ୍ୟାୟ ଦଳକୁ ଫେରିଥିବାରୁ ମୁଁ ବହୁତ ଖୁସି। ଫରଓ୍ବାର୍ଡ ଲାଇନ୍‌ରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ରୂପିନ୍ଦର ଫେରିବା ମଧ୍ୟ ଖୁସିର କଥା। ୨୦୧୯ ଏପଆଇଏଚ ସିରିଜ ଫାଇନାଲ୍ସଠାରୁ ତାଙ୍କ ପ୍ରଦର୍ଶନରେ ଉନ୍ନତି ଆସିଛି। ଦଳରେ ଥିବା ଅଳ୍ପକିଛି ତ୍ରୁଟିକୁ ସୁଧାରି ଆମେ ବେଲଜିୟମ ଗସ୍ତ କରିବୁ“ ବୋଲି ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌ ପ୍ରକାଶ କରିଛନ୍ତି। ଓଡ଼ିଶାରେ ରୁଷିଆ ବିପକ୍ଷରେ ଏଫଆଇଏଚ୍‌ ହକି ଅଲିମ୍ପିକ୍‌ କ୍ୱାଲିଫାୟର୍ସ ଖେଳିବାକୁ ଯାଉଥିବାରୁ ବେଲଜିୟମ ଗସ୍ତରେ ଆମକୁ ଉପଯୁକ୍ତ ଅଭ୍ୟାସ ମିଳିବ। ”ବେଲଜିୟମ ଏକ ଶକ୍ତିଶାଳୀ ଦଳ। ଆମେ ଯଦି ସେମାନଙ୍କ ଘରୋଇ ପରିବେଶରେ ଭଲ ପ୍ରଦର୍ଶନ କରିବୁ ତେବେ ଅଲିମ୍ପିକ କ୍ୱାଲିଫାୟର୍ସ ପୂର୍ବରୁ ଖେଳାଳିଙ୍କ ମନୋବଳ ଦୃଢ଼ ହେବ। ଆମେ ଉଭୟ ବେଲଜିୟମ ଓ ସ୍ପେନଠାରୁ କଡ଼ା ଚ୍ୟାଲେଞ୍ଜ ଆଶା କରୁଛୁ“ ବୋଲି ରିଡ୍‌ କହିଛନ୍ତି।

Share