Categories: ଖେଳ

ଭାରତୀୟ ହକି ଦଳର ବିଜୟଧାରା ଜାରି

ଆଣ୍ଟରେପ (ବେଲଜିୟମ),୩୦।୯(ପି.ଟି.)- ବେଲଜିୟମ ଗସ୍ତରେ ଯାଇଥିବା ଭାରତୀୟ ପୁରୁଷ ହକି ଦଳ ଦମ୍‌ଦାର ପ୍ରଦର୍ଶନ କରି ବିଜୟଧାରା ଅବ୍ୟାହତ ରଖିଛି। ରବିବାର ଅନୁଷ୍ଠିତ ତୃତୀୟ ମ୍ୟାଚ୍‌ରେ ଭାରତ ୫-୧ ଗୋଲରେ ସ୍ପେନ୍‌କୁ ହରାଇଛି। ଏଥିସହ ସ୍ପେନ୍‌ ବିପକ୍ଷରେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଶନିବାର ଭାରତ ସ୍ପେନ୍‌କୁ ୬-୧ ଗୋଲରେ ହରାଇଥିଲା। ବିଶ୍ୱର ୫ ନମ୍ବର ଦଳ ଭାରତ ହରମନପ୍ରୀତ ସିଂଙ୍କ ଡବଲ୍‌ ଗୋଲ ଜରିଆରେ ଏହି ସହଜ ବିଜୟ ହାସଲ କରିଛି।
ତେବେ ଆରମ୍ଭରୁ ଭାରତ ସେତେଟା ପ୍ରଭାବୀ ପ୍ରଦର୍ଶନ କରି ନ ଥିଲା। କାରଣ ଭାରତ ମ୍ୟାଚ୍‌ ତୃତୀୟ ମିନିଟ୍‌ରେ ହିଁ ଗୋଲ ବରଣ କରିଥିଲା। ବିଶ୍ୱର ୮ ନମ୍ବର ଦଳ ସ୍ପେନ୍‌ ତରଫରୁ ଇଗ୍ଲେସିଆସ୍‌ ଅଲଭାରୋ ପ୍ରଥମ ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ତେବେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଥିବାରୁ ଭାରତର ଆତ୍ମ ବିଶ୍ୱାସ ବେଶ୍‌ ଉଚ୍ଚରେ ଥିଲା। ତେଣୁ ଭାରତ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ପଞ୍ଚମ ମିନିଟ୍‌ରେ ଆକାଶଦୀପ ସିଂ ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସମାନସ୍ତରକୁ ଆଣିଥିଲେ। ଏହାପରେ ଭାରତ ପଛକୁ ଫେରି ଚାହିଁ ନ ଥିଲା। ଏହାପରେ ଦ୍ୱିତୀୟ କ୍ୱାର୍ଟରରେ ଏସ୍‌ଭି ସୁନୀଲ ଏକ ସୁନ୍ଦର ଗୋଲ ଦେଇଥିଲେ ଓ ଭାରତ ପ୍ରଥମାର୍ଦ୍ଧ ସୁଧା ୨-୧ରେ ଅଗ୍ରଣୀ ହୋଇଥିଲା। ତୃତୀୟ କ୍ୱାର୍ଟରରେ ଭାରତ ଦମ୍‌ଦାର ପ୍ରଦର୍ଶନ କରିଥିଲା। ୩୫ତମ ମିନିଟରେ ଫରଓ୍ବାର୍ଡ ରମନଦୀପ ସିଂ ଭାରତ ପାଇଁ ତୃତୀୟ ଗୋଲ ସ୍କୋର କରିଥିଲେ। ଏହାପରେ ୪୧ତମ ମିନିଟ୍‌ରେ ଡ୍ରାଗ ଫ୍ଲିକର ହରମନପ୍ରୀତ ସିଂ ଏକ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଭାରତକୁ ୪-୧ ଗୋଲରେ ଅଗ୍ରଣୀ କରାଇଥିଲେ। ଅନ୍ତିମ କ୍ୱାର୍ଟରରେ ଭାରତ କୁଇକ୍‌ ପାସ୍‌ ଦେଇ ଦ୍ରୁତ ଗତିରେ ଖେଳିଥିଲା। ହରମନପ୍ରୀତ ସିଂ ଦଳ ତରଫରୁ ପଞ୍ଚମ ଗୋଲ ଦେଇଥିଲେ। ସେ ପେନାଲ୍ଟି କର୍ନର ମାଧ୍ୟମରେ ଏହି ଗୋଲ ଦେଇଥିଲେ। ଭାରତୀୟ ଡିଫେଣ୍ଡର୍ସଙ୍କୁ ସ୍ପେନ୍‌ ଆଦୌ ସମସ୍ୟାରେ ପକାଇବାକୁ ସକ୍ଷମ ହୋଇ ନ ଥିଲା। ଶେଷରେ ଭାରତ ୫-୧ ଗୋଲ ବ୍ୟବଧାନରେ ବିଜୟୀ ହୋଇଥିଲା। ଭାରତ ଏବେ ମଙ୍ଗଳବାର ଚତୁର୍ଥ ମ୍ୟାଚ୍‌ରେ ବିଶ୍ୱର ୨ ନମ୍ବର ଦଳ ବେଲଜିୟମକୁ ଭେଟିବ।

Share