Categories: ଖେଳ

ଭାରତ ଅଧିନାୟକ ଭଳି ବିସିସିଆଇର ନେତୃତ୍ୱ ନେବି

ମୁମ୍ବାଇ,୨୩।୧୦(ପି.ଟି.): ଭାରତୀୟ ଦଳର ନେତୃତ୍ୱ ନେଇ ଯେଉଁଭଳି କାର୍ଯ୍ୟ କରିଥିଲି, ଠିକ୍‌ ସେହିପରି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ ସମ୍ପାଦନ କରିବି ବୋଲି ଦାୟିତ୍ୱ ଗ୍ରହଣ କରିବା ପରେ ସୌରଭ ଗାଙ୍ଗୁଲି କହିଛନ୍ତି। ଅଧିନାୟକ ଥିବା ବେଳେ ଯେଉଁ ନେଭି ବ୍ଲୁ ବ୍ଲେଜର ପରିଧାନ କରୁଥିଲେ ଗାଙ୍ଗୁଲି ତାହାକୁ ପିନ୍ଧି ବୁଧବାର ବୋର୍ଡ ଅଧ୍ୟକ୍ଷ ପଦର ଗୁରୁଦାୟିତ୍ୱ ଗ୍ରହଣ କରିଛନ୍ତି। ସମାସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ସହ କ୍ରିକେଟକୁ ଦୁର୍ନିତୀମୁକ୍ତ କରିବା ସହ ଏଥିରେ ସ୍ବଚ୍ଛତା ଆଣିବା ପାଇଁ ପ୍ରୟାସ କରିବେ ବୋଲି ଗାଙ୍ଗୁଲି କହିଛନ୍ତି। ସମ୍ପୂର୍ଣ୍ଣ ସ୍ବାଧୀନ ଭାବେ ଓ କୌଣସି ଭାବେ ପ୍ରଭାବିତ ନ ହୋଇ କାର୍ଯ୍ୟ କରିବି। ବୋର୍ଡ ପାଇଁ ଯାହା ଭଲ ହେବ ତାହା କରିବ। ଯେଉଁ ଭଳି ଭାବେ ଭାରତୀୟ ଦଳରେ ନେତୃତ୍ୱ ନେଇଥିଲି ଠିକ୍‌ ସେହିପରି ବୋର୍ଡ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବି। ବିଶ୍ୱନୀୟତା ହିଁ କାର୍ଯ୍ୟଶୈଳୀର ମୁଖ୍ୟ ଆଧାର ହେବ। ବିସିସିଆଇକୁ ଆଗକୁ ନେବା ପାଇଁ ସବୁପ୍ରକାର ପ୍ରୟାସ କରିବି ବୋଲି ୧୮,୦୦୦ ଅନ୍ତର୍ଜାତୀୟ ରନ ସଂଗ୍ରହ କରିଥିବା ଗାଙ୍ଗୁଲି କହିଛନ୍ତି।

ଭାରତୀୟ କ୍ରିକେଟ ଖରାପ ସମୟ ଦେଇ ଗତି କରୁଥିବା ବେଳେ ନେତୃତ୍ୱ ନେଇଥିଲି। ୬ ବର୍ଷ ଅଧିନାୟକ ଭାବେ କାର୍ଯ୍ୟ କରିବାପାର ଭାରତୀୟ କ୍ରିକେଟ ପୁଣିଥରେ ଟ୍ରାକକୁ ଫେରିଥିଲା। ଏବେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ବିସିସିଆଇର ଗୌରବ ଫେରାଇ ଆଣିବା ସହ ଆଗକୁ ନେବାକୁ ହେବ। ବୋର୍ଡରେ ସଂସ୍କାର ଆଣିବା ଜରୁରୀ ହୋଇ ପଡିଛି। ପୁଣି ରାଜ୍ୟ ଆସୋସିଏଶନଗୁଡିକୁ ବହୁ ପରିମାଣରେ ଅର୍ଥ ଦେବାକୁ ହେବ। ଫଳରେ ବହୁତ କିଛି କାର୍ଯ୍ୟ କରିବାକୁ ହେବ ବୋଲି ଗାଙ୍ଗୁଲି କହିଛନ୍ତି।

କୋହଲି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ
ଅଧିନାୟକ ବିରାଟ କୋହଲି ଭାରତୀୟ କ୍ରିକେଟରେ ଏବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି। ତେଣୁ ତାଙ୍କ ସହ ଗୁରୁବାର କଥା ହେବି। ତାଙ୍କ କଥା ଶୁଣିବି। ଯଥା ସମ୍ଭବ ତାଙ୍କୁ ସମର୍ଥନ କରିବି। ସେ ଯାହା ଚାହୁଁଛନ୍ତି ତାହା କରାଯିବ ବୋଲି ଗାଙ୍ଗୁଲି କହିଛନ୍ତି। ଭାରତୀୟ କ୍ରିକେଟର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଆମେ ଦାୟିତ୍ୱ ଗ୍ରହଣ କରିଛୁ। ତେଣୁ ଯଥା ସମ୍ଭବ କାର୍ଯ୍ୟକରିବୁ ବୋଲି ସେ କହିଛନ୍ତି। କୋହଲିଙ୍କ କାର୍ଯ୍ୟ ତଥା ଜୀବନକୁ କଷ୍ଟକର କରିବା ପରିବର୍ତ୍ତେ ସହଜ କରିବୁ। କୋହଳି ଭାରତକୁ ବିଶ୍ୱର ଶ୍ରେଷ୍ଠ ଦଳ ରୂପେ ପରିଣତ କରିବାକୁ ଚାହାନ୍ତି। ଗତ ୩/୪ ବର୍ଷରେ କୋହଲି ଯେଉଁଭଳି ଖେଳୁଛନ୍ତି ଓ ଦଳର ନେତୃତ୍ୱ ନେଉଛନ୍ତ ତାହା ପ୍ରଶଂସନୀୟ। କୋଚ ରବି ଶାସ୍ତ୍ରୀ ଓ ପୂରା ଟିମ୍‌ ମ୍ୟାନେଜମେଣ୍ଟ ସହ ବୈଠକରେ ବସି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବି। ପ୍ରଦର୍ଶନ ଉପରେ ଭାରତୀୟ କ୍ରିକେଟ ପର୍ଯ୍ୟବେଷିତ ହେବ। ସହମତି ଓ ଆଲୋଚନା ମାଧ୍ୟମରେ ସବୁ ନିଷ୍ପତ୍ତି ନିଆଯିବ ବୋଲି ଗାଙ୍ଗୁଲି କହିଛନ୍ତି।

 

Share