Categories: ଖେଳ

ଭାରତ ଆସିପାରିବେ ପାକିସ୍ତାନ ଆଥ୍‌ଲେଟ

ନୂଆଦିଲ୍ଲୀ,୧୯ା୬: ଦେଶରେ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟ ଆୟୋଜନ ଉପରେ ଲାଗିଥିବା ବାସନ୍ଦାଦେଶ ଖୁବ୍‌ ଶୀଘ୍ର ଉଠାଯିବ। ଅଂଶଗ୍ରହଣକାରୀ ଦେଶର ପ୍ରତିଯୋଗୀ ଓ ଅଫିସିଆଲଙ୍କୁ ଭିଜା ଦେବା ନେଇ କେନ୍ଦ୍ର ସରକାର ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି)କୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ଏହି ନିଷ୍ପତ୍ତିର ଅର୍ଥ ପାକିସ୍ତାନ ଆଥ୍‌ଲେଟମାନେ ଭାରତ ଆସିପାରିବେ। ଏହାଦ୍ୱାରା ଟୋକିଓ ୨୦୨୦ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ସମେତ ଦେଶରେ ବହୁ କ୍ରୀଡ଼ା ଭିତ୍ତିକ ଇଭେଣ୍ଟ ଆୟୋଜନ କରିବା ପଥ ପରିଷ୍କାର ହୋଇଛି। ଭାରତ ସରକାରଙ୍କ ଲିଖିତ ଆଶ୍ୱାସନା ପରେ ଆଇଓସି ଆଗାମୀ କିଛି ସପ୍ତାହରେ ବାସନ୍ଦାଦେଶ ଉଠାଇପାରେ। ଗତ ଫେବୃୟାରୀରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଦେଶରେ ଅନୁଷ୍ଠିତ ରାଇଫଲ ଓ ପିସ୍ତଲ ବିଶ୍ୱକପ୍‌ରେ ଭାଗ ନେବା ଲାଗି ଦୁଇ ପାକିସ୍ତାନୀ ଶୁଟରଙ୍କୁ ଭିଜା ଦେଇ ନ ଥିଲା। ଏଥିଯୋଗୁ ଆଇଓସି ଭାରତର ଅନ୍ତର୍ଜାତୀୟ ଇଭେଣ୍ଟର ଆୟୋଜନ ଅଧିକାର ଛିନ୍ନ କରିଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତି ଦେଶରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍‌ ଆୟୋଜନ ହେବାର ସମ୍ଭାବନାକୁ ଦୃଢ଼ୀଭୂତ କରିଛି। ଆଇସିସି ମହିଳା ଚାମ୍ପିୟନଶିପ୍‌ କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ବର୍ଷ ଜୁଲାଇରୁ ନଭେମ୍ବର ମଧ୍ୟରେ ଦିନିକିଆ ଓ ଟି୨୦ ସିରିଜ୍‌ ଆୟୋଜନ ହୋଇପାରେ। ଏହି ଟୁର୍ନାମେଣ୍ଟ ୨୦୨୧ ମହିଳା ବିଶ୍ୱକପ୍‌ ଲାଗି ଯୋଗ୍ୟତା ପର୍ଯ୍ୟାୟ।

Share