Categories: ଜାତୀୟ

ଭାରତ ଆସିବ ଆଫ୍ରିକୀୟ ଚିତା: କେନ୍ଦ୍ରକୁ ମିଳିଲା ସୁପ୍ରିମକୋର୍ଟ ଅନୁମତି

ନୂଆଦିଲ୍ଲୀ,୨୯ା୧(ପି.ଟି.): ନାମ୍ବିଆରୁ ଆଫ୍ରିକୀୟ ଚିତାବାଘକୁ ଭାରତ ଅଣାଯିବ। ତାକୁ ପରୀକ୍ଷାମୂଳକ ଭାବେ ଭାରତର ପାଣିପାଗରେ ଖାପଖୁଆଇ ରହିବା ପାଇଁ ବ୍ୟବସ୍ଥା କରାଯିବ। ଏ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଛନ୍ତି। ଏହି ଯୋଜନାକୁ ପ୍ରାୟ ୧୦ ବର୍ଷ ପରେ ଅନୁମତି ମିଳିଛି। କାରଣ ସରକାରଙ୍କ ନାମ୍ବିଆରୁ ଚିତା ଆଣିବା ଯୋଜନା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଥିଲେ।
ସୁପ୍ରିମକୋର୍ଟରେ ନ୍ୟାଶନାଲ ଟାଇଗର କଞ୍ଜରଭେଶନ ଅଥରିଟି (ଏନ୍‌ଟିସିଏ) ଏକ ପିଟିଶନ ଦାଏର କରିଥିଲେ। ଦେଶରେ ବିରଳ ଭାରତୀୟ ଚିତା ନିଶ୍ଚିହ୍ନ ହେବାରେ ଲାଗିଥିବା ଦର୍ଶାଇ ନାମ୍ବିଆରୁ ଆଫ୍ରିକୀୟ ଚିତାବାଘ ଆଣିବା ପାଇଁ ଅନୁମତି ମାଗିଥିଲେ। କାରଣ ସରକାରଙ୍କ ଏହି ମହତ୍ତ୍ୱାକାଂକ୍ଷା ଯୋଜନାକୁ ନେଇ ସର୍ବୋଚ୍ଚ ଅଦାଲତ ଅନୁଧ୍ୟାନ କରୁଛନ୍ତି। ଶୀର୍ଷ ଅଦାଲତ ଏକ ୩ ଜଣିଆ କମିଟି ଗଠନ କରିଛନ୍ତି। ଏନ୍‌ଟିସିଏକୁ ପରାମର୍ଶ ଦେବା ପାଇଁ ଉକ୍ତ କମିଟିରେ ଓ୍ବାଇଲ୍ଡଲାଇଫ୍‌ ଅଫ୍‌ ଇଣ୍ଡିଆର ପୂର୍ବତନ ନିର୍ଦ୍ଦେଶକ ରଣଜିତ ସିଂ, ଓ୍ବାଇଲ୍ଡ ଲାଇଫ୍‌ ଇଣ୍ଡିଆ ମହାନିର୍ଦ୍ଦେଶକ ଧନଞ୍ଜୟ ମୋହନ ଏବଂ ସହ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଓ୍ବାଇଲ୍ଡଲାଇଫ୍‌ ଡିଆଇଜିଙ୍କୁ ରଖାଯାଇଛି। ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ, ଜଷ୍ଟିସ୍‌ ବି.ଆର୍‌. ଗଭାଇ ଓ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଅଦାଲତ ଏହି ପ୍ରୋଜେକ୍ଟକୁ ଅନୁଧ୍ୟାନ କରିବେ ଏବଂ କମିଟି ପ୍ରତି ୪ ମାସରେ ଥରେ ରିପୋର୍ଟ ଦାଖଲ କରିବେ।

Share