Categories: ଜାତୀୟ

ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ସାମରିକ ବାହିନୀ ତିଆରି କରୁଛି ଆଇଏସ୍‌ଆଇ: ଦାଉଦ୍‌ ଇବ୍ରାହିମ୍‌ଙ୍କୁ ମିଳିଛି ଅସ୍ତ୍ରଶସ୍ତ୍ର ଯୋଗାଇବା ଠିକା

ନୂଆଦିଲ୍ଲୀ,୨୩।୯: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ଏଥିପାଇଁ ଏକ ସାମରିକ ବାହିନୀ ମଧ୍ୟ ଗଠନ କରାଯିବାର ଯୋଜନା କରାଯାଇଛି। ଏହି ସାମରିକ ବାହିନୀ ଳାଗି ଆବଶ୍ୟକ ଅସ୍ତ୍ରଶସ୍ତ୍ର ଯୋଗାଇବା ଲାଗି ଅଣ୍ଡରଓ୍ବାଲ୍ଡ୍‌ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କୁ ଠିକା ମିଳିଛି। ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଦାୟିତ୍ୱ ଜୈଶ୍‌-ଇ-ମହମ୍ମଦ ମୁଖ୍ୟ ସମୁଦ୍‌ ଅସଗର ତାଙ୍କ ଭାଇ ରଉଫ୍‌ ମହମ୍ମଦ ଅସଗରଙ୍କୁ ଦିଆଯାଇଛି ବୋଲି ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। କେରନ୍‌ ଏବଂ କରଓ୍ବା ସେକ୍ଟର ପଟୁ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଆଇଏସ୍‌ଆଇ ଯୋଜନା କରିଛି। ଏହି ଆତଙ୍କବାଦୀ ଦଳରେ ଲଶ୍କର-ଇ-ତୋଏବାର ୨୮ ଜଣ ସଦସ୍ୟ ଥିବାବେଳେ ହିଜିବୁଲ୍‌ ମୁଜାହିଦ୍ଦିନ୍‌ର ୧୨ , ଜୈଶ୍‌-ଇ-ମହମ୍ମଦ୍‌ର ୧୫ ଏବଂ ୧୫ ଜଣ ଆଫଗାନୀସ୍ତାନ ଆତଙ୍କବାଦୀ ରହିଛନ୍ତି। ଆତଙ୍କବାଦୀଙ୍କୁ ପଞ୍ଜାବ ଏବଂ ରାଜସ୍ଥାନ ପଟୁ ଭାରତରେ ଅନୁପ୍ରବେଶ କରାଇବା ଲାଗି ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରାଯାଇଛି। ମାଛିଲ୍‌ ଏବଂ ଗୁରେଜ୍‌ ସେକ୍ଟର ଦେଇ ସେମାନଙ୍କୁ ଭାରତ ଭିତରକୁ ଅଣାଯିବା ଲାଗି ଉଦ୍ୟମ ହେଉଛି। ୧୫ ଜଣ ଆତଙ୍କବାଦୀଙ୍କୁ ଏନେଇ ହିନ୍ଦୀ ଭାଷାର କୋଚିଂ ମଧ୍ୟ ଦିଆଯାଇଥିବା ଗୋଇନ୍ଦା ରିପୋର୍ଟରେ କୁହାଯାଇଛି।

Share