Categories: ଖେଳ

ଭାରତ ‘ଏ’ ଦଳରେ ଓଡ଼ିଶାର ଦିବ୍ୟଦର୍ଶିନୀ

ଭୁବନେଶ୍ୱର, ୧୧।୯(କ୍ରୀଡ଼ା ପ୍ରତିନିଧି)-ପ୍ରତିଭା ସମ୍ପନ୍ନ ମହିଳା କ୍ରିକେଟ ଖେଳାଳି ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ଓଡ଼ିଶା କ୍ରିକେଟ ପାଇଁ ଆଣିଛନ୍ତି ଏକ ଖୁସି ଖବର। ପୂର୍ବରୁ ଭାରତୀୟ ବୋର୍ଡ ଏକାଦଶ ଦଳରେ ସାମିଲ ହୋଇ ନିଜ ଉଜ୍ଜଳ ଭବିଷ୍ୟତର ସୂଚନା ଦେଇ ସାରିଥିବା ଦିବ୍ୟଦର୍ଶିନୀ ମଙ୍ଗଳବାର ଘୋଷିତ ଭାରତୀୟ ମହିଳା ‘ଏ’ ଏବଂ ଇମର୍ଜିଂ ମହିଳା ଦଳରେ ସ୍ଥାନ ପାଇ ରାଜ୍ୟ କ୍ରିକେଟକୁ ଗର୍ବିତ କରିଛନ୍ତି। ଏଥିସହ ଏହି ଓଡ଼ିଆ ଝିଅ ଭାରତୀୟ ସିନିୟର ଦଳରେ ସ୍ଥାନ ପାଇବା ଦିଗରେ ଆଉ ଏକପାଦ ଅଗ୍ରସର ହୋଇଛନ୍ତି। ଦିବ୍ୟଦର୍ଶିନୀ ଜାଗୃତି କ୍ରିକେଟ ଏକାଡେମୀ(ଏସଜିଓ)ରେ କୋଚ୍‌ କ୍ଷୀରୋଦ ବେହେରାଙ୍କ ନିକଟରୁ ପ୍ରଶିକ୍ଷଣପ୍ରାପ୍ତ। ଭାରତ‘ଏ’ ଦଳ କକ୍ସବଜାରସ୍ଥିତ ଶେଖ୍‌ କମଲ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ୩ଟି ଅନଅଫିସିଆଲ ଏକଦିବସୀୟ ମ୍ୟାଚ ଖେଳିବ। ଏହାପରେ ଚଟ୍ଟଗ୍ରାମର ଜହୁର ଅହମ୍ମଦ କ୍ରିକେଟ ଷ୍ଟାଡିୟମରେ ୩ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ବାଂଲାଦେଶ ଗସ୍ତପରେ ଭାରତ‘ଏ’ ଶ୍ରୀଲଙ୍କାରେ ଅକ୍ଟୋବର ୨୦ରୁ ୨୮ ପର୍ଯ୍ୟନ୍ତ ଏସିସି ଇମର୍ଜିଂ ମହିଳା ଏସିଆ କପ୍‌ରେ ଭାଗନେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋଡ(ବିସିସିଆଇ)ର ମୁଖ୍ୟ କାର୍ଯ୍ୟାଳୟରେ ହେମଲତା କାଲାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସର୍ବଭାରତୀୟ ମହିଳା ଚୟନ କମିଟି ବୈଠକ ଅନୁଷ୍ଠିତ ହୋଇ ଦଳ ଚୟନ କରାଯାଇଛି। ଦେବିକା ବୈଦ୍ୟଙ୍କୁ ଅଧିନାୟିକା ଏବଂ ଏସ.ମେଘନାଙ୍କୁ ଉପଅଧିନାୟିକା ମନୋନୀତ କରାଯାଇଛି।
ଭାରତୀୟ ମହିଳା ‘ଏ’ ଦଳ: ଦେବୀକା ବୈଦ୍ୟ(ଅଧିନାୟିକା), ଏସ.ମେଘନା(ଉପ-ଅଧିନାୟିକା), ଯଷ୍ଟିକା ଭାଟିଆ, ତେଜାଲ ହାସବନିସ, ତନୁଶ୍ରୀ ସରକାର, ସିମରନ ଦିଲ ବାହାଦୂର, ନୁଜତ ପରବୀନ, ଆର.କଳ୍ପନା, ମାନାଲି ଦକ୍ଷିଣୀ, କସ୍‌ମା ସିଂ, ଅଞ୍ଜଳି ସରଓ୍ବାନୀ, ମିନୁ ମାନି, ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ, ଟି.ପି. କନଓ୍ବାର, ରଶି କାନୋଜିଆ।

ବାଂଲାଦେଶ ବିପକ୍ଷ କାର୍ଯ୍ୟସୂଚୀ
ଅକ୍ଟୋବର ୪: ପ୍ରଥମ ଦିନିକିଆ, କକ୍ସବଜାର
ଅକ୍ଟୋବର ୬: ଦ୍ୱିତୀୟ ଦିନିକିଆ, କକ୍ସବଜାର
ଅକ୍ଟୋବର ୮: ତୃତୀୟ ଦିନିକିଆ, କକ୍ସବଜାର
ଅକ୍ଟୋବର ୧୧: ପ୍ରଥମ ଟି୨୦, ଚଟ୍ଟଗ୍ରାମ
ଅକ୍ଟୋବର ୧୨: ଦ୍ୱିତୀୟ ଟି୨୦, ଚଟ୍ଟଗ୍ରାମ
ଅକ୍ଟୋବର ୧୪: ତୃତୀୟ ଟି୨୦, ଚଟ୍ଟଗ୍ରାମ

Share