Categories: ଖେଳ

ଭାରତ ଏ’ ପାଇଁ ଖେଳିବେ ଧାଓ୍ବନ

ନୂଆଦିଲ୍ଲୀ,୩୧।୮(ପି.ଟି.)- ଖରାପ ଫର୍ମ ଦେଇ ଗତି କରୁଥିବା ଅଭିଜ୍ଞ ଭାରତୀୟ ଓପନର ଶିଖର ଧାଓ୍ବନ ଭାରତ ଏ’ ପାଇଁ ଖେଳିବେ। ଫର୍ମ ଫେରିପାଇବା ପାଇଁ ସେ ଦକ୍ଷିଣ ଆଫ୍ରିକା ଏ’ ବିପକ୍ଷ ଦୁଇଟି ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌ରେ ଭାରତ ଏ’ ତରଫରୁ ପ୍ରତିନିଧିତ୍ୱ କରିବେ। ଗତ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ସେ ସୀମିତ ଓଭର ସିରିଜ୍‌ରେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ସେ ୩ଟି ଟି୨୦ ଓ ୨ଟି ଦିନିକିଆ ଖେଳି ମୋଟ ଉପରେ ୬୫ ରନ କରିବାକୁ ସକ୍ଷମ ହୋଇଥିଲେ। ୩ଟି ଟି୨୦ ମ୍ୟାଚ୍‌ରେ ସେ ୧, ୨୩ ଓ ୩ ରନ ସଂଗ୍ରହ କରିଥିଲେ। ସେହିପରି ଦୁଇଟି ଦିନିକିଆରେ ସେ ୨ ଓ ୩୬ ରନ ସଂଗ୍ରହ କରିଥିଲେ। ତେଣୁ ଫର୍ମ ଫେରିପାଇବା ପାଇଁ ତାଙ୍କୁ ସିନିୟର ଚୟନକର୍ତ୍ତାମାନେ ଭାରତ ଏ’ ଦଳରେ ସାମିଲ କରିଛନ୍ତି ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି।
ତେବେ ତାମିଲନାଡୁ ଅଲରାଉଣ୍ଡର ବିଜୟ ଶଙ୍କର ବୁଢ଼ା ଆଙ୍ଗୁଠିରେ ଆଘାତ ପାଇଥିବା କାରଣରୁ ଏହି ଏ’ ସିରିଜରୁ ବାଦ୍‌ ପଡିଛନ୍ତି। ଇଂଲଣ୍ଡ ଅନୁଷ୍ଠିତ ବିଶ୍ୱକପ୍‌ ମଝିରେ ଇଞ୍ଜୁରି କାରଣରୁ ତାଙ୍କୁ ସ୍ବଦେଶ ଫେରିବାକୁ ପଡିଥିଲା। ତେବେ ସେ କିଛିଦିନ ତଳେ ଖେଳାଯାଇଥିବା ତାମିଲନାଡୁ ପ୍ରିମିୟର ଲିଗ୍‌ (ଟିଏନ୍‌ପିଏଲ)କୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ପୁଣି ଆହତ ହୋଇଛନ୍ତି।

Share