Categories: ଖେଳ

ଭାରତ-ଓ୍ବେଷ୍ଟଇଣ୍ଡିଜ ସ୍ପିନରଙ୍କ ଅଲୋଡ଼ା ରେକର୍ଡ

ଚେନ୍ନାଇ, ୧୭।୧୨- ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମର ପିଚ୍‌ ସାଧରଣତଃ ସ୍ପିନ ଅନୁକୂଳ। ତିନିଥର ଆଇପିଏଲ୍‌ ଚାମ୍ପିୟନ ଚେନ୍ନାଇ ସୁପର୍‌ କିଙ୍ଗ୍ସ ସେଥିପାଇଁ ଘରୋଇ ମ୍ୟାଚ୍‌ରେ ସଫଳତା ପାଇବା ଲାଗି ଏହାର ଦଳରେ ସ୍ପିନରଙ୍କୁ ସର୍ବଦା ପ୍ରାଧାନ୍ୟ ଦେଇଥାଏ। କିନ୍ତୁ ରବିବାର ଏଠାରେ ଭାରତ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଚେପକ୍‌ ପିଚ୍‌ ସ୍ପିନରଙ୍କୁ ନିରାଶ କରିଥିଲା। ମ୍ୟାଚ୍‌ରେ ଉଭୟ ଦଳର ସ୍ପିନର ମିଳିତ ଭାବେ ୩୩ ଓଭର (୧୯୮ ବଲ୍‌) ବୋଲିଂ କରିଥିଲେ ମଧ୍ୟ ଜଣେ ହେଲେ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇବାରେ ସଫଳ ହୋଇପାରି ନ ଥିଲେ।
ମ୍ୟାଚ୍‌ରେ ମୋଟ୍‌ ୧୦ ଉଇକେଟ୍‌ ପଡ଼ିଥିଲା। ସେଥିରୁ ଭାରତର ୮ ଓ ଓ୍ବେଷ୍ଟଇଣ୍ଡିଜର ୨ଜଣ ବ୍ୟାଟ୍ସମ୍ୟାନ ଆଉଟ୍‌ ହୋଇଥିଲେ। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଦ୍ରୁତ ବୋଲର ଶେଲଡନ୍‌ କଟ୍ରେଲ, ଅଲ୍‌ଜାରୀ ଜୋସେଫ୍‌ ଓ କିମୋ ପଲ୍‌ ୨ଟି ଲେଖାଏ ଓ ଅଧିନାୟକ କିରନ ପୋଲାର୍ଡଙ୍କୁ ଗୋଟିଏ ଉଇକେଟ୍‌ ମିଳିଥିଲା। ରବୀନ୍ଦ୍ର ଜାଡେଜା ରନ୍‌ ଆଉଟ୍‌ ହୋଇଥିଲେ। ଭ୍ରମଣକାରୀ ଦଳର ଦୁଇ ସ୍ପିନର ହେଡେନ ଓ୍ବାଲ୍ସ ଓ ରୋଷ୍ଟନ ଚେଜ୍‌ ଯଥାକ୍ରମେ ୫ ଓ ୭ ଓଭର ବୋଲିଂ କରିଥିଲେ ମଧ୍ୟ ଉଇକେଟଶୂନ୍ୟ ରହିଥିଲେ। ଅପରପକ୍ଷରେ ଭାରତ ପକ୍ଷରୁ ଦୀପକ ଚହର ଓ ମହମ୍ମଦ ସାମି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। କିନ୍ତୁ କୁଲଦୀପ ଯାଦବ ଓ ଜାଡେଜା ୧୦ ଓଭର ଲେଖାଏ ଏବଂ କେଦାର ଯାଦବ ଗୋଟିଏ ଓଭର ବୋଲିଂ କରିଥିଲେ ମଧ୍ୟ ଗୋଟିଏ ବି ଉଇକେଟ୍‌ ସଫଳତା ପାଇ ନ ଥିଲେ। ମ୍ୟାଚ୍‌ରେ ଭାରତ (୧୨୬ ବଲ୍‌) ଓ ଓ୍ବେଷ୍ଟଇଣ୍ଡିଜ (୭୨) ବୋଲର ମିଳିତ ଭାବେ ୧୯୮ ବଲ୍‌ ପକାଇଥିଲେ।
ସ୍ପିନରଙ୍କ ଦ୍ୱାରା ଭାରତ ମାଟିରେ ଏହା ସବୁଠାରୁ ଖରାପ ପ୍ରଦର୍ଶନ ହୋଇଛି। ଏଥିପୂର୍ବରୁ ୨୦୦୦ ମସିହାରେ ପୁନେଠାରେ ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ସ୍ପିନର ୧୭୫ ବଲ୍‌ ପକାଇଥିଲେ ମଧ୍ୟ ଉଇକେଟ୍‌ ପାଇ ନ ଥିଲେ। ସେହିଭଳି ୧୯୮୯ରେ ମୁମ୍ବାଇଠାରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ସ୍ପିନର ୧୬୨ ବଲ୍‌ ବୋଲିଂ କରି ନିରାଶ ହୋଇଥିଲେ। କିନ୍ତୁ ୨୦୦୧ରେ ଢାକାଠାରେ ଘରୋଇ ବାଂଲାଦେଶ ଓ ଜିମ୍ବାଓ୍ବେ ମଧ୍ୟରେ ଅନୁଷ୍ଠିତ ଦିନିକିଆ ମ୍ୟାଚ୍‌ ସ୍ପିନରଙ୍କ ପାଇଁ ସବୁଠାରୁ ଖରାପ ରହିଥିଲା। ଏହି ମ୍ୟାଚ୍‌ରେ ଉଭୟ ଦଳର ସ୍ପିନର ମିଳିତ ଭାବେ କୌଣସି ଉଇକେଟ୍‌ ନ ପାଇ ୨୨୮ ବଲ୍‌ ପକାଇଥିଲେ। ସେହିଭଳି ୨୦୧୧ରେ ହରାରେଠାରେ ଜିମ୍ବାଓ୍ବେ ଓ ପାକିସ୍ତାନ ମ୍ୟାଚ୍‌ରେ ମଧ୍ୟ ୨୨୨ ବଲ ପକାଇ ସ୍ପିନର ଉଇକେଟ୍‌ଶୂନ୍ୟ ରହିଥିଲେ।

Share