Categories: ଖେଳ

ଭାରତ-କାତାର ମ୍ୟାଚ ସମ୍ପର୍କରେ ନିଷ୍ପତ୍ତି ମଙ୍ଗଳବାର

ନୂଆଦିଲ୍ଲୀ,୭ା୩ (ପି.ଟି.): ମାରାତ୍ମକ କରୋନା ଭାଇରସ ଆଶଙ୍କାରେ କାତାର ବିପକ୍ଷରେ ଖେଳାଯିବାକୁ ଥିବା ଭାରତର ଫିଫା ବିଶ୍ୱକପ୍‌ କ୍ୱାଲିଫାୟର୍ସ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଥିବା ବିଷୟକୁ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ଶନିବାର ସ୍ପଷ୍ଟ କରିଛି। ଏହି ମ୍ୟାଚ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମାର୍ଚ୍ଚ ୨୬ରେ ଖେଳାଯିବା କାର୍ଯ୍ୟକ୍ରମ ଥିଲା। ସେହିପରି ଜୁନ ୯ରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁଥିବା ମ୍ୟାଚକୁ ମଧ୍ୟ ସ୍ଥଗିତ ରଖାଯିବ ବୋଲି ଏଆଇଏଫ୍‌ଏଫ୍‌ ସାଧାରଣ ସମ୍ପାଦକ କୁଶାଲ ଦାସ ପ୍ରକାଶ କରିଛନ୍ତି। ଆସନ୍ତା ମଙ୍ଗଳବାର ନୂଆଦିଲ୍ଲୀରେ ଏଏଫ୍‌ସି (ଏସିଆନ ଫୁଟ୍‌ବଲ କନଫେଡେରେଶନ) ଏବଂ ଏଆଇଏଫ୍‌ଏଫ୍‌ ଅଫିସିଆଲଙ୍କ ମଧ୍ୟରେ ଏକ ବୈଠକ ବସିବ। ଏଥିରେ ଅନ୍ୟାନ୍ୟ ପ୍ରସଙ୍ଗ ସମେତ ଭାରତର ଅବଶିଷ୍ଟ ବିଶ୍ୱକପ୍‌ କ୍ୱାଲିଫାୟର୍ସ ମ୍ୟାଚଗୁଡ଼ିକ ଲାଗି ନୂଆ ତାରିଖ ସ୍ଥିର କରାଯାଇ ପାରେ ବୋଲି ସେ ସୂଚନା ଦେଇଛନ୍ତି। କରୋନା ଭାଇରସ ଆତଙ୍କ ଯୋଗୁ ଆସନ୍ତା ୨୦୨୨ ବିଶ୍ୱକପ୍‌ ଏବଂ ୨୦୨୩ ଏସିଆନ କପ୍‌ ଲାଗି ଆଗକୁ ଖେଳାଯିବାକୁଥିବା ସମସ୍ତ କ୍ୱାଲିଫାୟର୍ସ ମ୍ୟାଚଗୁଡ଼ିକ ସ୍ଥଗିତ ରଖିବା ଲାଗି ବିଶ୍ୱ ଫୁଟ୍‌ବଲ ପରିଚାଳନା ପରିଷଦ ଫିଫା ଓ ଏଏଫ୍‌ସି ଗୁରୁବାର ପ୍ରସ୍ତାବ ଦେଇଥିଲେ।

Share