Categories: ଖେଳ

ଭାରତ ଗସ୍ତରେ ଆସିପାରେ ପାକିସ୍ତାନ ମହିଳା ଦଳ

ଲଣ୍ଡନ,୭।୬- ପାକିସ୍ତାନ ମହିଳା କ୍ରିକେଟ ଦଳ ଭାରତ ଗସ୍ତରେ ଆସି ଭାରତୀୟ ମହିଳା ଦଳ ସହ ଅନ୍ତର୍ଜାତୀୟ ଦିନିକିଆ ସିରିଜ୍‌ ଖେଳିବା ନେଇ ଯୋଜନା ଚାଲିଛି। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କେନ୍ଦ୍ର ସରକାରଙ୍କ ଅନୁମତି ମାଗିଛି। ଏହି ସିରିଜ୍‌ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ମହିଳା ଚାମ୍ପିୟନଶିପ୍‌ର ଅଂଶବିଶେଷ। ୨୦୨୧ ବିଶ୍ୱକପ୍‌ ପାଇଁ ଏହି ଟୁର୍ନାମେଣ୍ଟ ଯୋଗ୍ୟତା ପର୍ଯ୍ୟାୟ। ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ରାଜନୈତିକ ଅସ୍ଥିରତା ଲାଗିରହିଛି। ଏଣୁ ଦୁଇ ଦେଶ ମଧ୍ୟରେ ଗତ ଦୀର୍ଘ ୬ ବର୍ଷ ହେଲା କୌଣସି ଦ୍ୱିପାକ୍ଷିକ ସିରିଜ ଖେଳା ଯାଇପାରୁ ନାହିଁ। ଅନୁମତି ପାଇଁ ବିସିସିଆଇ ପକ୍ଷରୁ କ୍ରୀଡ଼ା ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଛି। ଜେନେରାଲ ମ୍ୟାନେଜର (କ୍ରିକେଟ ଅପରେଶନ) ସବା କରିମ ବୋର୍ଡ ସ୍ଥିତି ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଆଇସିସି ଦ୍ୱାରା ପରିଚାଳିତ ମହିଳା ଚାମ୍ପିୟନଶିପ୍‌ରେ ସମସ୍ତ ଦଳ ପରସ୍ପର ମଧ୍ୟରେ ଘରେ ଓ ବାହାରେ ସିରିଜ୍‌ ଖେଳିବାକୁ ପଡ଼େ। ଟୁର୍ନାମେଣ୍ଟର ପଏଣ୍ଟ ତାଲିକାକୁ ଭିତ୍ତିକରି ଦଳଗୁଡ଼ିକୁ ବିଶ୍ୱକପ୍‌ ଯୋଗ୍ୟତା ପ୍ରଦାନ କରାଯାଏ। ଇଭେଣ୍ଟର କର୍ଯ୍ୟସୂଚୀ ଅନୁଯାୟୀ, ବିସିସିଆଇକୁ ଜୁଲାଇରୁ ନଭେମ୍ବର ମଧ୍ୟରେ ପାକିସ୍ତାନ ଦଳ ପାଇଁ ଅତିକମ୍‌ରେ ୩ଟି ମ୍ୟାଚ୍‌ ଆୟୋଜନ କରିବାକୁ ପଡ଼ିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ଏହି ସମସ୍ୟାର ସମାଧାନ ବହିର୍ବ୍ୟାପାର ମନ୍ତ୍ରଣାଳୟ କରିପାରିବ ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ସମାନ କାରଣ ଯୋଗୁ ଗତବର୍ଷ ଭାରତ ସିନିୟର ପୁରୁଷ ଏସିଆ କପ୍‌ ଆୟୋଜନରୁ ଓହରି ଯାଇଥିଲା। ଯଦି ସରକାରଙ୍କ ପକ୍ଷରୁ ଅନୁମତି ନ ମିଳେ, ଆମକୁ ଅନ୍ୟ ବିକଳ୍ପ ଦେଖିବାକୁ ପଡ଼ିବ। ଖୁବ୍‌ଶୀଘ୍ର ସରକାର ନିଷ୍ପତ୍ତି ନେବେ ବୋଲି ବିସିସିଆଇ କର୍ମକର୍ତ୍ତା କହିଛନ୍ତି।

Share