Categories: ଖେଳ

ଭାରତ ଗସ୍ତ ପାଇଁ ଦକ୍ଷିଣ ଆଫ୍ରିକାର ଦିନିକିଆ ଦଳ ଘୋଷଣା

ନୂଆଦିଲ୍ଲୀ,୨ା୩- ଆଗାମୀ ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଲାଗି ସୋମବାର ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରାଯାଇଛି। ଦଳକୁ ସିନିୟର ବ୍ୟାଟ୍ସମ୍ୟାନ ଫାଫ୍‌ ଡୁପ୍ଲେସି ଓ ରାସି ଭାନ ଡର ଡୁସେନ ଫେରିଛନ୍ତି। ପ୍ରଥମ ପସନ୍ଦ ସ୍ପିନର ତାବ୍ରିଜ ଶାମ୍‌ସିଙ୍କ ବଦଳରେ ବାମହାତୀ ସ୍ପିନର ଜର୍ଜ ଲିଣ୍ଡେଙ୍କୁ ୧୫ ଜଣିଆ ଦଳରେ ସ୍ଥାନ ଦିଆଯାଇଛି। ୨୮ ବର୍ଷୀୟ ଶାମ୍‌ସି ବାପା ହେବାକୁ ଯାଉଥିବାରୁ ଏହି ସିରିଜରୁ ଓହରିଯାଇଛନ୍ତି। ଆଇସିସି ବିଶ୍ୱକପ୍‌ ପରଠାରୁ ଡୁପ୍ଲେସି ଏପର୍ଯ୍ୟନ୍ତ ଦିନିକିଆ ଫର୍ମାଟରେ ଖେଳିନାହାନ୍ତି। ତାଙ୍କୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବିଶ୍ରାମ ଦିଆଯାଇଥିଲା। ଇତିମଧ୍ୟରେ ସେ ଦଳର ଅଧିନାୟକ ପଦ ଛାଡ଼ି ଦେଇଛନ୍ତି। ଫଳରେ ଉଇକେଟକିପର ବ୍ୟାଟ୍ସମ୍ୟାନ କୁଇଣ୍ଟନ ଡିକକ୍‌ ସମସ୍ତ ଫର୍ମାଟରେ ଅଧିନାୟକ ହୋଇଛନ୍ତି। ଅନ୍ୟପକ୍ଷରେ ଡୁସେନ ଗତବର୍ଷଠାରୁ ମଧ୍ୟକ୍ରମରେ ନିଜ ସ୍ଥାନ ପକ୍କା କରିଥିଲେ। ସେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଖେଳିଥିଲେ। କିନ୍ତୁ ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ତାଙ୍କୁ ବିଶ୍ରାମ ଦିଆଯାଇଛି। ଦୁଇ ଜଣଙ୍କ ଅନୁପସ୍ଥିତିରେ ହେନ୍‌ରିଚ କ୍ଲାସେନ କ୍ୟାରିୟରର ପ୍ରଥମ ଦିନିକିଆ ଶତକ ହାସଲ କରିଛନ୍ତି। ତାଙ୍କ ବ୍ୟତୀତ ପଦାର୍ପଣକାରୀ କାଇଲ ଭରନେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଦୁଇ ଜଣ ବ୍ୟାଟ୍ସମ୍ୟାନ ନିଜ ସ୍ଥାନ ବଜାୟ ରଖିଛନ୍ତି। ଶନିବାର କ୍ୟାରିୟରର ପ୍ରଥମ ମ୍ୟାଚ୍‌ ଖେଳିଥିବା ଜାନେମନ ମଲାନଙ୍କୁ ବାଦ୍‌ ଦିଆଯାଇଛି। ଦଳରେ ସ୍ଥାନ ପାଇଁ ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଏଭଳି ସମସ୍ୟା ଚୟନକର୍ତ୍ତାଙ୍କ ପାଇଁ ଭଲ। ଭାରତ ଭଳି ଚ୍ୟାଲେଞ୍ଜିଂ ଗସ୍ତ ଲାଗି ଦଳ ଚୟନରେ ସନ୍ତୁଷ୍ଟ। ଗତବର୍ଷ ସେଠାରେ ଟି୨୦ ଫର୍ମାଟରେ ଦଳର କିଛି ଖେଳାଳି ଭଲ ପ୍ରଦର୍ଶନ କରିଥତ୍ଲେ। ସେମାନଙ୍କୁ ପୁଣି ସୁଯୋଗ ମିଳିଛି। ଜର୍ଜ ଲିଣ୍ଡେଙ୍କ ଭଳି ସ୍ପିନରଙ୍କୁ ଆମେ ସୁଯୋଗ ଦେଇଛୁ। ତାଙ୍କୁ ଭାରତୀୟ ସ୍ଥିତି ସୁହାଇବ ବୋଲି କ୍ରିକେଟ ଦକ୍ଷିଣ ଆଫ୍ରିକା ସ୍ବାଧୀନ ଚୟନକର୍ତ୍ତା ଲିଣ୍ଡା ଜୋଣ୍ଡି କହିଛନ୍ତି।
ଦକ୍ଷିଣ ଆଫ୍ରିକା ଦଳ: କୁଇଣ୍ଟନ ଡିକକ୍‌(ଅଧିନାୟକ), ତେମ୍ବା ବାଭୁମା, ରାସି ଭାନ୍‌ ଡର ଡୁସେନ, ଫାଫ୍‌ ଡୁପ୍ଲେସି, କାଇଲ ଭରନେ, ହେନ୍‌ରିଚ କ୍ଲାସେନ, ଡେଭିଡ ମିଲର, ଜନ୍‌ ଜନ୍‌ ସ୍ମୁଟ୍ସ, ଆଣ୍ଡିଲେ ଫେଲୁକ୍ୱାୟୋ, ଲୁଙ୍ଗି ଏନ୍‌ଗିଡି, ଲୁଥୋ ସିପାମଲା, ବେଉରାନ ହେଣ୍ଡ୍ରିକ୍ସ, ଅନ୍‌ରିଚ ନର୍ଟଜେ, ଜର୍ଜ ଲିଣ୍ଡେ ଓ କେଶବ ମହାରାଜ।

Share