Categories: ଜାତୀୟ

ଭାରତ-ଚାଇନା ସୀମାରେ ସେନାର ଅପରେଶନ ‘ହିମବିଜୟ’

ନୂଆଦିଲ୍ଲୀ,୧୩।୯: ଭାରତ-ଚାଇନା ସୀମାରେ ସେନା ତା’ର ଶକ୍ତି ବୃଦ୍ଧି ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଭାରତୀୟ ସେନା ଅତ୍ୟାଧୁନିକ ଆମେରିକୀୟ ଅସ୍ତ୍ରକୁ ଭାରତ-ଚାଇନା ସୀମାରେ ମୁତୟନ କରିବାକୁ ଯୋଜନା କରୁଛି। ଫଳରେ ଭାରତ-ଚାଇନା ସୀମାରେ ଥିବା ଅରୁଣାଚଳ ପ୍ରଦେଶର ସୀମାରେ ନୂଆ ଏମ୍‌ ୭୭୭ ଅଲଟ୍ରା-ଲାଇଟ୍‌ ହାଓଇଟଜର୍ସ ଓ ଚିନୁକ ହେଭି-ଲିପ୍ଟ ହେଲିକପ୍ଟରକୁ ମୁତୟନ କରାଯିବ। କୋଡ୍‌ନେମ୍‌ ‘ହିମବିଜୟ’ ନାଁରେ ଏକ ଯୁଦ୍ଧାଭ୍ୟାସ ଦ୍ୱାରା ଅରୁଣାଚଳ ପ୍ରଦେଶରେ ପ୍ରସ୍ତୁତ ହୋଇଥିବା ନୂଆ ୧୭ ମାଉଣ୍ଟେନ ଷ୍ଟ୍ରାଇକ କ୍ରପ୍ସର ଯୁଦ୍ଧ ଲଢିବାର କ୍ଷମତାକୁ ପରୀକ୍ଷା କରାଯିବ। ଏହି ଯୁଦ୍ଧାଭ୍ୟାସରେ ଭାରତୀୟ ବାୟୁସେନା ମଧ୍ୟ ସାମିଲ ହେବ। ସେନାର ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ‘ହିମବିଜୟ’ ଅଭ୍ୟାସ ସମୟରେ ୧୭ ମାଉଣ୍ଟେନ ଷ୍ଟ୍ରାଇକ୍‌ କ୍ରପ୍ସକୁ ଏମ୍‌ ୭୭୭ ଅଲଟ୍ରା-ଲାଇଟ୍‌ ହାଓଇଟଜର୍ସ ତୋପ ଦିଆଯିବ। କାରଣ ଏହା ଶତ୍ରୁପକ୍ଷ ବିରୋଧରେ ଆକ୍ସନ୍‌ ମୋଡରେ ରହିବ ଓ ଏହାକୁ ହାଲୁକା ବନ୍ଧୁକର ଆବଶ୍ୟକତା ରହିବ। ନିକଟରେ ଭାରତୀୟ ସେନାରେ ସାମିଲ ହୋଇଥିବା ଆଉ ଏକ ଶକ୍ତିଶାଳୀ ଆମେରିକୀୟ ଅସ୍ତ୍ର ଚିନୁକ ହେଲିକପ୍ଟର ମଧ୍ୟ ଏହି ଯୁଦ୍ଧାଭ୍ୟାସରେ ସାମିଲ ହେବ। ଚିନୁକ ହେଲିକପ୍ଟର ୨୫ ମାର୍ଚ୍ଚ ୨୦୧୯ରେ ଚଣ୍ଡିଗଡ଼ ଏୟାର ବେସରେ ବାୟୁସେନାରେ ସାମିଲ କରାଯାଇଥିଲା।

Share