ଭାରତ ଟପ୍‌, ତାଲିକା ଶେଷରେ ପାକିସ୍ତାନ

ଲଣ୍ଡନ,୨୬।୬- ମ୍ୟାଚ୍‌ରେ କ୍ୟାଚ୍‌ ହାତଛଡ଼ା କରିବା ବିଶ୍ୱକପ୍‌ରେ ବେଳେବେଳେ ମହଙ୍ଗା ପଡ଼େ। ଏହା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ସହ ଏପର୍ଯ୍ୟନ୍ତ ଘଟିନାହିଁ। ଟିମ୍‌ ଇଣ୍ଡିଆ ଏଯାଏ ମାତ୍ର ଗୋଟିଏ କ୍ୟାଚ୍‌ ହାତଛଡ଼ା କରିଛି, ଯାହା ବିଶ୍ୱକପ୍‌ରେ ଅଂଶଗ୍ରହଣ କରିଥିବା ଦଳଗୁଡ଼ିକଠାରୁ ଭଲ ପ୍ରଦର୍ଶନ। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୟୁଜ୍‌ବେନ୍ଦ୍ର ଚହଲଙ୍କ ବୋଲିଂରେ ଲୋକେଶ ରାହୁଲ କ୍ୟାଚ୍‌ ଛାଡ଼ିଥିଲେ। ଏହି ତାଲିକାରେ ପାକିସ୍ତାନ ସବୁ ଦଳ ତଳେ ରହିଛି। ସର୍ଫରାଜ ଅହମ୍ମଦଙ୍କ ଦଳ ଏପର୍ଯ୍ୟନ୍ତ ୧୪ଟି ସୁଯୋଗ ହାତଛଡ଼ା କରିସାରିଛି। ପାକିସ୍ତାନ ଦଳର ଖେଳାଳିମାନେ ଚଳିତ ବିଶ୍ୱକପ୍‌ରେ ୩୫ ପ୍ରତିଶତ କ୍ୟାଚ୍‌ ଜରିଆରେ ଉଇକେଟ ନେବାର ସୁଯୋଗ ବେକାର କରିଛନ୍ତି। ଫିଲ୍ଡିଂରେ ଦ୍ୱିତୀୟ ଖରାପ ଦଳ ହେଉଛି ଆୟୋଜକ ଇଂଲଣ୍ଡ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଘରୋଇ ଦଳ ୧୨ କ୍ୟାଚ୍‌ ଛାଡ଼ିଛି। ଅପ୍ରତ୍ୟାଶିତ ଭାବେ ନ୍ୟୁଜିଲାଣ୍ଡ ୯ କ୍ୟାଚ୍‌ ହାତଛଡ଼ା କରିଛି। ଭାରତୀୟ ଦଳର ଫିଲ୍ଡିଂରେ ସଫଳତା ଲାଗି ଏକ ଭିନ୍ନ ନୀତି ଆପଣେଇଥିବା ଫିଲ୍ଡିଂ କୋଚ୍‌ ଆର. ଶ୍ରୀଧର କହିଛନ୍ତି। ଭିନ୍ନ କ୍ୟାଚ୍‌ ଲାଗି ଆମେ ପଏଣ୍ଟ ବ୍ୟବସ୍ଥା କରିଛୁ। ସିଧାସଳଖ କ୍ୟାଚ୍‌ ଧରିବା ଲାଗି ଗ୍ରେଡ୍‌ ଓ୍ବାନ୍‌। ଚାପରେ ଫିଲ୍ଡର ଉଦ୍ୟମ କରି ଯେଉଁ କ୍ୟାଚ୍‌ ଧରନ୍ତି, ସେଥିଲାଗି ୨ ପଏଣ୍ଟ ପ୍ରଦାନ କରାଯାଏ। ଏହା ବ୍ୟତୀତ ହାଫ୍‌ ଚାନ୍ସ କ୍ୟାଚ୍‌ ଧରିଲେ ଫିଲ୍ଡରଙ୍କୁ ସର୍ବାଧିକ ୪ ପଏଣ୍ଟ ମିଳେ। ଏହି କ୍ୟାଚ୍‌ ହାତଛଡ଼ା ହେଲେ କୌଣସି ଖେଳାଳି କାହାକୁ ପ୍ରଶ୍ନ କରନ୍ତି ନାହିଁ। କିନ୍ତୁ ଏହି କ୍ୟାଚ୍‌ ମ୍ୟାଚ୍‌ ଲାଗି ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସେହିଭଳି ସିଧାସଳଖ କ୍ୟାଚ୍‌ ହାତଛଡ଼ା କରିଥିବା ଫିଲ୍ଡରଙ୍କ ଦୁଇ ପଏଣ୍ଟ କାଟି ଦିଆଯାଏ ବୋଲି ଶ୍ରୀଧର କହିଛନ୍ତି। କେବଳ କ୍ୟାଚ୍‌ ପାଇଁ ନୁହେଁ, ମିସ୍‌ ଫିଲ୍ଡ, ଥ୍ରୋ ଓ ରନ୍‌ଆଉଟ ଲାଗି ମଧ୍ୟ କିଛି ନୀତି ନିର୍ଦ୍ଧାରଣ କରାଯାଇଛି।

Share