Categories: ଖେଳ

ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ବାତିଲ

ଧର୍ମଶାଳା, ୧୫ା୯ (ପି.ଟି.)-ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଖେଳାଯିବାକୁଥିବା ପ୍ରଥମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ୍‌କୁ ବାତିଲ କରିଦିଆଯାଇଛି। ପ୍ରବଳ ବର୍ଷା ଯୋଗୁ ଖେଳ ଆରମ୍ଭ ସମ୍ଭବପର ନ ଥିଲା। ମ୍ୟାଚ ଦେଖିବା ଲାଗି ଆସିଥିବା ଦର୍ଶକଙ୍କୁ ଏହା ନିରାଶ କରିଥିଲା। ଅପରାହ୍ନରେ ଘଡ଼ଘଡ଼ି ସହ ବର୍ଷା ହେବା ପରେ ମ୍ୟାଚ ଖେଳାଯିବା ନେଇ ସନ୍ଦେହ ଦେଖାଦେଇଥିଲା। ଏହାସତ୍ତ୍ୱେ ପାଗରେ ପରବର୍ତ୍ତନ ଘଟିଲେ ଏପରିକି ମ୍ୟାଚକୁ ୫ ଓଭର ବିଶିଷ୍ଟ କରିବା ଲାଗି ଚିନ୍ତା କରାଯାଇଥିଲା। ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍‌ପିସିଏ) ଷ୍ଟାଡିୟମ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିଲା। ମାତ୍ର ତାହା ବୃଥାରେ ପରିଣତ ହୋଇଥିଲା। ମ୍ୟାଚ ଦେଖିବାକୁ ଲାଗି ଆଖପାଖ ଜିଲା ସମେତ ଚଣ୍ଡିଗଡ଼ ଏବଂ ଦିଲ୍ଲୀରୁ ବହୁ କ୍ରିକେଟ ପ୍ରେମୀ ଆସିଥିଲେ। ସେମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲେ। ଷ୍ଟାଡିୟମର ଅଧିକାଂଶ ଷ୍ଟାଣ୍ଡ ଉପରିଭାଗରେ କୌଣସି ଛାତ ନ ଥିବାରୁ ବର୍ଷାରୁ ନିଜକୁ ବଞ୍ଚାଇବା ଲାଗି କିଛି ଦର୍ଶକ ଷ୍ଟାଡିୟମ ଭିତରକୁ ଚାଲିଯାଇଥିଲେ। ସେଠାରେ ରଖାଯାଇଥିବା ଅସ୍ଥାୟୀ ହୋର୍ଡିଂକୁ ସେମାନେ ସାମୟିକ ‘ଛତା’ ରୂପେ ବ୍ୟବହାର କରିଥିଲେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆଜିକାଲି ସମସ୍ତ ମ୍ୟାଚର ବୀମା କରାଉଛନ୍ତି। ତେଣୁ ଏଚପିସିଏ ଆର୍ଥତ୍କ କ୍ଷତିଗ୍ରସ୍ତ ହେବ ନାହିଁ। ଯେହେତୁ ମ୍ୟାଚର ଟସ୍‌ ପଡ଼ିନାହିଁ ଦର୍ଶକମାନେ ଟିକେଟ ମୂଲ୍ୟ ଫେରିପାଇବେ। ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ ମୋହଲିଠାରେ ବୁଧବାର ଖେଳାଯିବ। ତୃତୀୟ ତଥା ଅନ୍ତିମ ମ୍ୟାଚ ସେପ୍ଟେମ୍ବର ୨୨ରେ ବେଙ୍ଗାଲୁରୁରେ ଖେଳାଯିବ।

Share