Categories: ଖେଳ

ଭାରତ ନିୟନ୍ତ୍ରଣରେ ରାଞ୍ଚି ଟେଷ୍ଟ

ରାଞ୍ଚି,୨୦।୧୦- ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ସମ୍ପୂର୍ଣ୍ଣ ଭାରତୀୟ ଦଳର ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସରେ ଭାରତୀୟ ଦଳର ୪୯୭ ରନ୍‌ର କରିଥିବାବେଳେ ଦକ୍ଷିଣ ଆଫ୍ରିକା ତା’ର ଅସମାପ୍ତ ସ୍କୋର ୯/୨ରୁ ବ୍ୟାଟିଂ ଆରମ୍ଭ କରି ୧୬୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଦଳ ପାଇଁ କେବଳ ଜୁବେର ୬୨, ଜର୍ଜ ଲିଣ୍ଡେ ୩୭ ଓ ତେମ୍ବା ବାଭୁମା ୩୨ ରନ୍‌ କରିଥିଲେ। ଅନ୍ୟମାନେ ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ଘରୋଇ ଦଳ ଲାଗି ଉମେଶ ଯାଦବ ୩ ଉଇକେଟ ନେଇଥିବାବେଳେ ମହମ୍ମଦ ସାମି, ରବୀନ୍ଦ୍ର ଜାଡେଜା ଓ ପଦାର୍ପଣକାରୀ ଶାହବାଜ ନଦିମ ଦୁଇ ଲେଖାଏ ଉଇକେଟ ହାତେଇଥିଲେ। ଏହାପରେ ୩୩୫ ରନ୍‌ରେ ପଛୁଆ ଥିବା ଦକ୍ଷିଣ ଆଫ୍ରିକାକୁ ଭାରତୀୟ ଅଧିନାୟକ ବିରାଟ କୋହଲି ଫଲୋଅନ୍‌ ଡାକିଥିଲେ। ରିପୋର୍ଟ ଲେଖାହେବା ସୁଦ୍ଧା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ ବ୍ୟାଟିଂ କରି ୨ ଉଇକେଟ ହରାଇ ୧୧ ରନ୍‌ କରିଛି। କ୍ୱିଣ୍ଟନ ଡିକକ୍‌ ୫ ଓ ଜୁବେର ହମ୍‌ଜା ଖାତା ଖୋଲିବା ପୂର୍ବରୁ ଯଥାକ୍ରମେ ଯାଦବ ଓ ସାମିଙ୍କ ବଲରେ ଆଉଟ୍‌ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ଦଳକୁ ଏବେ ଇନିଂସ ପରାଜୟ ଏଡ଼ାଇବା ପାଇଁ ବଳକା ୮ ଉଇକେଟରେ ୩୨୪ ରନ୍‌ ଊର୍ଦ୍ଧ୍ୱ କରିବାକୁ ପଡ଼ିବ।

Share