Categories: ମେଟ୍ରୋ

ଭାରତ- ନ୍ୟୁଜିଲାଣ୍ଡ ମ୍ୟାଚକୁ ନେଇ ବେଟିଂ

କଟକ ଅଫିସ, ୧୧।୭: ଇଂଲଣ୍ଡର ମାଞ୍ଚେଷ୍ଟର ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବୁଧବାର ଖେଳାଯାଉଥିବା ବିଶ୍ୱକପ୍‌ କ୍ରିକେଟ୍‌ର ସେମିଫାଇନାଲ ମ୍ୟାଚ୍‌କୁ ନେଇ କଟକରେ ବେଟିଂ କାରବାର ଚାଲିଥିଲା। ଏଥିରେ ବହୁ ଲୋକ ଟଙ୍କା ଲଗାଇଥିବା ବେଳେ ଲକ୍ଷାଧିକ ଟଙ୍କାର କାରବାର ହୋଇଥିବା ପୋଲିସ ସୂଚନା ପାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ପୁରୀଘାଟ ପୋଲିସ ସ୍ଥାନୀୟ ଅଞ୍ଚଳରେ ଚଢାଉ କରି ଏଭଳି ଏକ ବେଟିଂ ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଏହି ଥାନା ଅନ୍ତର୍ଗତ ମାଣିକଘୋଷ ବଜାର ଅଞ୍ଚଳର ଅମିତ ଅଗ୍ରୱାଲ, ବାଖରାବାଦ ଅଞ୍ଚଳର ଅଙ୍କିତ ଅଗ୍ରୱାଲ ଓ ହରିପୁର ଅଞ୍ଚଳର ଅନିଲ ତିପାନି। ସେମାନଙ୍କଠାରୁ ପୋଲିସ ୫ଟି ମୋବାଇଲ, ଗୋଟିଏ ଲାପ୍‌ଟପ, ଦୁଇଟି ଡେକ୍ସଟପ୍‌ ଜବତ କରିଛି। ଏ ନେଇ ଥାନାରେ ଆଇପିସି ଦଫା ୪୨୦, ୨୯୪(ଏ), ୧୨୦(ବି) ଏବଂ ଲଟେରି ରେଗୁଲେଶନ ଆକ୍ଟ ୭ରେ ଏକ ମାମଲା(ନଂ.୧୩୯/୧୯) ରୁଜୁ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୧୧ଟାରେ ପୁରୀଘାଟ ଅଞ୍ଚଳର ଏକ ଘରେ ବେଟିଂ କାରବାର ଚାଲିଥିବା ପୋଲିସ ସୂଚନା ପାଇଥିଲା। ପରେ ପୋଲିସ ସେଠାରେ ଚଢାଉ କରି ମୋବାଇଲ ଏବଂ କମ୍ପ୍ୟୁଟର ଯାଞ୍ଚ କରିବାରୁ ସେମାନେ ବେଟିଂ କରୁଥିବା ଜାଣିବାକୁ ପାଇଥିଲା। ପରେ ପୋଲିସ ଲାପଟପ୍‌ ଓ ମୋବାଇଲକୁ ଜବତ କରିବା ସହ ସେମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ପଚରାଉଚରା ପରେ ଜଣାପଡ଼ିଥିଲା ଯେ, ସେମାନେ ଉକ୍ତ ଲାପ୍‌ଟପ୍‌ ସାହାଯ୍ୟରେ କ୍ରିକେଟ ବିଶ୍ୱକପ୍‌ ଉପରେ ଅନ୍‌ଲାଇନ ବେଟିଂ କରୁଥିଲେ। ଟଙ୍କା ଲଗାଉଥିବା ଲୋକଙ୍କ ସହିତ କୋଡ୍‌ ୱାର୍ଡରେ କଥାବାର୍ତ୍ତା ଚାଲିଥିଲା। କେତେ ଟଙ୍କା, କାହା ଉପରେ ଟଙ୍କା ଲଗାଯାଉଥିଲା ତାହା ସମ୍ପୂର୍ଣ୍ଣ ଭାବରେ କୋଡ୍‌ ୱାର୍ଡରେ କଥାବାର୍ତ୍ତା ଚାଲିଥିଲା। ବେଟିଂ ଲଗାଇବାର ଗୋଟିଏ ଅବା ଦୁଇଦିନ ପରେ ସେମାନେ ଅନ୍‌ଲାଇନ୍‌ରେ ଟଙ୍କା କାରବାର କରୁଥିଲେ ବୋଲି ପୋଲିସ ନିକଟରେ ମାନିଥିଲେ। ଏହି ବେଟିଂରେ ସେମାନଙ୍କ ସହିତ କଟକ ସମେତ ଓଡ଼ିଶାର କେତେକ ଜିଲାର ଲୋକ ସାମିଲ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଯେହେତୁ କୋଡ୍‌ ୱାର୍ଡରେ କାରବାର ଚାଲିଛି ତାହା କେତେ ଟଙ୍କାର କାରବାର ତାହା ସ୍ପଷ୍ଟ ଆକଳନ ହୋଇପାରି ନାହିଁ। ତେବେ ଏ ଦିଗରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ପୁରୀଘାଟ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ କହିଛନ୍ତି।

Share