ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ବର୍ଷା ସାଜିପାରେ ବାଧକ

ନଟ୍ଟିଂହାମ, ୧୧।୬(ପି.ଟି.)- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ଆଇସିସି ବିଶ୍ୱକପ୍‌ରେ ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବ। ଏହି ମ୍ୟାଚ୍‌ ଗୁରୁବାର ଟ୍ରେଣ୍ଟବ୍ରିଜଠାରେ ଖେଳାଯିବ। ତେବେ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ବର୍ଷା ବାଧକ ସାଜିପାରେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଗୁରୁବାର ସ୍ଥାନୀୟ ସମୟ ଦ୍ୱିପ୍ରହର ପରେ ବର୍ଷାର ଆଉ ସମ୍ଭାବନା ନାହିଁ। ଫଳରେ ମ୍ୟାଚ୍‌ କମ୍‌ ଓଭର ବିଶିଷ୍ଟ ହୋଇପାରେ। ଇଂଲଣ୍ଡରେ ଗଲା ଦୁଇଦିନ ହେବ ପ୍ରବଳ ବର୍ଷା ଜାରି ରହିଛି। ଏଥିସହ ସ୍ଥାନୀୟ ପାଣିପାଗ ବିଭାଗ ସର୍ବସାଧାରଣଙ୍କ ପାଇଁ ସତର୍କ ସୂଚନା ଜାରି କରିଛି। ସ୍ଥାନୀୟ ଓ୍ବେବ୍‌ସାଇଟ ‘ନଟ୍ଟିଂହାମପୋଷ୍ଟ’ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚଳିତ ସପ୍ତାହରେ ନଟ୍ଟିଂହାମ ଅଞ୍ଚଳରେ ଅଧିକ ସମୟ ବର୍ଷାର ଚେତାବନୀ ଦିଆଯାଇଛି। ସେହିଭଳି ଇଂଲଣ୍ଡର ବିର୍ମିଂହାମ୍‌, ପିଟରବର୍ଗ ଓ ନ୍ୟୁକାଷ୍ଟଲ ଅଞ୍ଚଳରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଓ ଗୁରୁବାର ଦ୍ୱିପ୍ରହର ପର୍ଯ୍ୟନ୍ତ ହାଲ୍‌କା ବର୍ଷା ହୋଇପାରେ। ଏଥିସହ ଏହି ସମୟ ମଧ୍ୟରେ ସର୍ବାଧିକ ତାପମାତ୍ରା ୧୩ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୧୦ରୁ ୧୧ ଡିଗ୍ରୀ ପର୍ଯ୍ୟନ୍ତ ରହିପାରେ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

Share