ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଅମ୍ପାୟର ଇଲିଂଓ୍ବର୍ଥ, କେଟିଲବର୍ଗ

ଲିଡ୍ସ,୭।୭(ପିଟି)- ଚଳିତ ବିଶ୍ୱକପ୍‌ର ପ୍ରବଳ ଦାବୀଦାର ଭାରତ ଓ ଗତ ଥରର ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୯ ତାରିଖରେ ମାଞ୍ଚେଷ୍ଟରଠାରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ ଇଂଲିଶ ଅମ୍ପାୟର ରିଚାର୍ଡ ଇଲିଂଓ୍ବର୍ଥ ଓ ରିଚାର୍ଡ କେଟିଲବର୍ଗ ପରିଚାଳନା କରିବେ। ଚଳିତ ବିଶ୍ୱକପ୍‌ର ଲିଗ୍‌ ମ୍ୟାଚ୍‌ଗୁଡ଼ିକ ଶେଷ ହେବା ପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ରବିବାର ଦୁଇ ସେମିଫାଇନାଲ ଲାଗି ଅମ୍ପାୟର ଓ ରେଫରିଙ୍କ ନାମ ଘୋଷଣା କରିଛି। ଅଷ୍ଟ୍ରେଲିଆର ରଡ୍‌ ଟକର ଓ ଇଂଲଣ୍ଡର ନାଇଜେଲ ଲଙ୍ଗ ଯଥାକ୍ରମେ ୩ୟ ଅମ୍ପାୟର ଓ ୪ର୍ଥ ଅଫିସିଆଲଙ୍କ ଦାୟିତ୍ୱରେ ରହିବେ। ପୂର୍ବତନ ଅଷ୍ଟ୍ରେଲିଆନ ଅନ୍ତର୍ଜାତୀୟ କ୍ରିକେଟର ଡେଭିଡ ବୁନଙ୍କୁ ରେଫରି ଭାବେ ମନୋନୀତ କରାଯାଇଛି। ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଆୟୋଜକ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାର କୁମାର ଧର୍ମସେନା ଓ ଦକ୍ଷିଣ ଆଫ୍ରିକାର ମାରାଇସ ଏରାମସ ଅମ୍ପାୟରଙ୍କ ଦାୟିତ୍ୱ ସମ୍ଭାଳିବେ। ନ୍ୟୁଜିଲାଣ୍ଡର କ୍ରିସ ଗଫନି ୩ୟ ଅମ୍ପାୟର ଓ ପାକିସ୍ତାନର ଅଲିମ ଦାର ୪ର୍ଥ ଅଫିସିଆଲ କାର୍ଯ୍ୟ ସମ୍ଭାଳିବେ। ଶ୍ରୀଲଙ୍କାର ରଞ୍ଜନ ମଦୁଗଲା ରେଫରି ଭାବେ ମନୋନୀତ ହୋଇଛନ୍ତି।

Share