ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଏବେ ପାକିସ୍ତାନ ବିଚଳିତ ହୋଇପଡିଛି। ଏହି ପ୍ରସ୍ତଙ୍ଗରେ ଜାତିସଂଘଠାରୁ ଆରମ୍ଭ କରି ବିଭିନ୍ନ ଦେଶର ସହାୟତା ମାଗୁଥିଲେ ମଧ୍ୟ ସବୁଠି ନିରାଶ ହେଉଛି। ତେଣୁ କୌଣସି ଉପାୟ ନ ପାଇ ପରମାଣୁ ଯୁଦ୍ଧର ଧମକ ଦେଇଛି ପାକିସ୍ତାନ । ଉଭୟ ଭାରତ-ପାକିସ୍ତାନ ପରମାଣୁ କ୍ଷମତା ସମ୍ପନ୍ନ ଦେଶ ହୋଇଥିବାରୁ ଆଣବିକ ଯୁଦ୍ଧ ହେଲେ କେବଳ ଏହି ଦୁଇ ଦେଶ ନୁହେଁ, ସାରା ବିଶ୍ୱ ପ୍ରଭାବିତ ହେବ। ଗୋଟିଏ ସପ୍ତାହ ମଧ୍ୟରେ ହିଁ ୨ କୋଟି ୧୦ ଲକ୍ଷ ଲୋକଙ୍କ ଜୀବନ ଚାଲିଯିବ। ଯେଉଁ ସ୍ଥାନରେ ପରମାଣୁ ବୋମା ବିସ୍ଫୋରଣ ହେବ ସେହି ସ୍ଥାନରେ ତୀକ୍ଷ୍ଣ ଚମକ ସହ ଭୟଙ୍କର ନିଆଁଗୋଳା ଉଠିବ। ଯାହା କିଛି ଦୂର ଯାଏଁ ସବୁ ଜାଳି ଛାରଖାର କରିଦେବ। ଏହି ପରମାଣୁ ବୋମାର ଚମକ ଏତେ ଉଜ୍ଜ୍ବଳ ହେବ ଯେ ଏହା ଦ୍ବାରା ଲୋକେ ଦୃଷ୍ଟି ଶକ୍ତି ହରାଇବସିବେ। ଅଧାରୁ ଅଧିକ ଲୋକ ପରମାଣୁ ବୋମାର ପ୍ରଭାବରେ କ୍ଷତିଗ୍ରସ୍ତ ହେବେ। ଆଉ ଯେଉଁମାନେ ବଞ୍ଚିଯିବେ ସେମାନେ ପରମାଣୁ ବୋମାର ରେଡ଼ିଏସନରେ ମୃତ୍ୟୁବରଣ କରିବେ। ପୃଥିବୀର ଓଜୋନ ସ୍ତର ଉପରେ ବିପଦ ବଢିଯିବ। ଗଛଲତା ସବୁ ଜଳିପୋଡ଼ି ଛାରଖାର ହୋଇଯିବ। ପାକିସ୍ତାନ ଯଦି ଦିଲ୍ଲୀ, ମୁମ୍ବାଇ, ଚଣ୍ଡୀଗଡ ଭଳି ଗୁରୁତ୍ୱପୂର୍ଣ୍ଣ ସହରରେ ପକାଏ ତେବେ ପାଖାପାଖି ୧୨ କୋଟି ଲୋକ ଏଥିରେ ପ୍ରଭାବିତ ହେବାର ଆଶଙ୍କା ରହିଛି।