ଭାରତ-ପାକିସ୍ତାନ ମ୍ୟାଚ୍‌ରେ ବର୍ଷା ହେଲେ କ୍ଷତି ହେବ ୧୩୭ କୋଟି ଟଙ୍କା

ନୂଆଦିଲ୍ଲୀ,୧୫।୬: ହଠାତ୍‌ ମାଡ଼ିଆସିଥିବା କଳା ବାଦଲ ଯୋଗୁ ଇଂଲଣ୍ଡରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ର ୪ ମ୍ୟାଚ୍‌ ସମ୍ପୂର୍ଣ୍ଣ ବାତିଲ ହୋଇସାରିଛି। ଏଥିଯୋଗୁ ବିମା କମ୍ପାନୀକୁ କ୍ଷତି ସହିବାକୁ ପଡ଼ୁଛି। ଏପର୍ଯ୍ୟନ୍ତ ବାତିଲ ହୋଇଥିବା ୪ ମ୍ୟାଚ୍‌ ଯୋଗୁ ବିମା କମ୍ପାନୀ ୨୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା କ୍ଷତିପୂରଣ ବାବଦକୁ ବିଭିନ୍ନ ଅଂଶୀଦାରଙ୍କୁ ଦେବାକୁ ପଡ଼ିବ। ପ୍ରସାରଣ କରୁଥିବା ଷ୍ଟାର ସ୍ପୋଟର୍‌ସ ସବୁଠାରୁ ଅଧିକ କ୍ଷତି ସହିଛି। ବିଜ୍ଞାପନ ଓ ଚୁକ୍ତି ବାବଦକୁ ପ୍ରାୟ ୧୪୦ କୋଟି ଟଙ୍କା ଚ୍ୟାନେଲର କ୍ଷତି ହୋଇସାରିଛି। ଆସନ୍ତା ରବିବାର ବର୍ଷା କାରଣରୁ ଭାରତ-ପାକିସ୍ତାନ ମ୍ୟାଚ୍‌ ବିତିଲ ହେଲେ ବିମା କମ୍ପାନୀଠାରୁ ଆରମ୍ଭ କରି ପ୍ରସାରଣକାରୀ ଚ୍ୟାନେଲ, କୋକାକୋଲା, ଉବର ଓ ଏମ୍‌ଆରଏଫ୍‌ ଟାୟର୍ସ ଭଳି ବଡ଼ ବିଜ୍ଞାପନକାରୀ ସଂସ୍ଥାକୁ କ୍ଷତି ସହିବାକୁ ପଡ଼ିବ। ଏହି ମ୍ୟାଚ୍‌ ଚଳିତ ବିଶ୍ୱକପ୍‌ର ସବୁଠୁ ଅଧିକ ଦେଖଣାହାରୀ ମ୍ୟାଚ୍‌ ହେବ ବୋଲି ଆଶା କରାଯାଉଛି। ଷ୍ଟାର ଚ୍ୟାନେଲ ବିଜ୍ଞାପନ ବାବଦକୁ କେବଳ ଏହି ମ୍ୟାଚ୍‌ରୁ ୧୩୭ କୋଟି ଟଙ୍କା ଆୟ କରିବାକୁ ଯୋଜନା କରିଛି। ଚ୍ୟାନେଲ ବିଜ୍ଞାପନ ପାଇଁ ମୋଟ ୫,୫୦୦ ସେକେଣ୍ଡର ସ୍ଲଟ ବିକ୍ରି କରିବ। ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ପ୍ରତ୍ୟେକ ସେକେଣ୍ଡ ପିଛା ଅଢ଼େଇ ଲକ୍ଷ ଟଙ୍କା ବିଜ୍ଞାପନକାରୀ ସଂସ୍ଥାକୁ ଦେବାକୁ ପଡ଼ୁଛି। ଏହାସତ୍ତ୍ୱେ ପ୍ରାୟତଃ ଆଡଭାନ୍ସ ଦେଇସାରିଛନ୍ତି। ଯଦି ମ୍ୟାଚ୍‌ କିଛି ସମୟ ପୂର୍ବରୁ ତତ୍କାଳ ବୁକିଂ ପାଇଁ ଅଧିକ ପାଉଣା ଦେବାକୁ ପଡ଼ିବ। ବର୍ତ୍ତମାନ ମୂଲ୍ୟଠାରୁ ୫୦ ପ୍ରତିଶତ ଅଧିକ ପଡ଼ିବ। ବିଶ୍ୱକପ୍‌ର ସ୍ଲଟକୁ ଦୁଇଟି ପ୍ୟାକେଜରେ ସ୍ଲଟ ବିକ୍ରି କରାଯାଉଛି। ଭାରତ ମ୍ୟାଚ୍‌ ଓ ଅନ୍ୟ ଦଳଗୁଡ଼ିକ ମ୍ୟାଚ୍‌ର ଭିନ୍ନ ସ୍ଲଟ। ଏଭଳି ସ୍ଥିତିରେ ମ୍ୟାଚ୍‌ ବାତିଲ ହେଲେ କମ୍ପାନୀକୁ ସମସ୍ତ କ୍ଷତି ସହିବାକୁ ପଡ଼ିବ। ମ୍ୟାଚ୍‌ର ସିଧାପ୍ରସାରଣ, ଆନାଲିସିସ୍‌ ଓ ହାଇଲାଇଟ୍ସ ବେଳେ ଯେଉଁ ବିଜ୍ଞାପନ ପ୍ରସାରଣ ହେବା କଥା ସେମାନଙ୍କୁ ଫ୍ରି କମରସିଆଲ ଟାଇମ (ଏଫ୍‌ସିଟି) ପ୍ରକ୍ରିୟା ଭିତ୍ତିରେ ଅନ୍ୟ ଭାରତ ମ୍ୟାଚ୍‌ରେ ସେଗୁଡ଼ିକୁ ପ୍ରସାରଣ କରାଯାଇପାରେ। ଯଦି କୌଣସି ମ୍ୟାଚ୍‌ରେ ପ୍ରଥମ ବଲ ପଡ଼ିବା ପୂର୍ବରୁ ବାତିଲ କରାଯାଏ, ଟୁର୍ନାମେଣ୍ଟ ଶେଷରେ ପ୍ରସାରଣକାରୀ ସଂସ୍ଥାର କ୍ଷତିକୁ ବିମା କମ୍ପାନୀ ଭରଣ କରେ।

Share