ଭାରତ ବନ୍ଦକୁ ହିନ୍ଦ୍‌ ମଜଦୁର ସଭାର ସମର୍ଥନ: ଏହି ସମର୍ଥନ ସହ ବିଜେଡିର ସମ୍ପର୍କ ନାହିଁ: ରଣେନ୍ଦ୍ର

ଭୁବନେଶ୍ୱର, ୮।୧(ବ୍ୟୁରୋ):ଦେଶର ବିଭିନ୍ନ ଶ୍ରମିକ ସଂଗଠନ, ବିରୋଧୀ ରାଜନୈତିକ ଦଳ ଦ୍ୱାରା ବୁଧବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ କଂଗ୍ରେସ ପକ୍ଷରୁ ମଧ୍ୟ ସମର୍ଥନ ମିଳିଛି। ବନ୍ଦ ସମ୍ପର୍କରେ ବିଜେଡିର ଶ୍ରମିକ ସଙ୍ଗଠନ ତଥା ଦଳର କ’ଣ ଆଭିମୁଖ୍ୟ ତାହା ଉପରେ ସମସ୍ତଙ୍କ ନଜର ରହିଛି। ବନ୍ଦ କାର୍ଯ୍ୟକ୍ରମର ଗୋଟିଏ ଦିନ ପୂର୍ବରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବନ୍ଦକୁ ସମର୍ଥନ କରିବା ନେଇ ଘୋଷଣା କରିଥିଲେ। ହେଲେ ଏହା ବିଜେଡିର ନିଷ୍ପତ୍ତି ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଟୁଇଟ୍‌ କରି ସ୍ବାଇଁ କହିଛନ୍ତି ଯେ, ଗଣମାଧ୍ୟମରେ ବନ୍ଦ ସମ୍ପର୍କରେ ମୋର କିଛି ବକ୍ତବ୍ୟ ଆସିଛି। ମୁଁ ହିନ୍ଦ୍‌ ମଜଦୁର ସଭାର କାର୍ଯ୍ୟକାରୀ ସଭାପତି ରହିଛି। ତେଣୁ କାର୍ଯ୍ୟରତ ଶ୍ରମିକ ଶ୍ରେଣୀଙ୍କ ସ୍ବରକୁ ଶାଣିତ କରିବା ମୋର ନୈତିକ ଦାୟିତ୍ୱ। ଏହି ସମର୍ଥନ ସହ ବିଜୁ ଜନତା ଦଳର କୌଣସି ସମ୍ପର୍କ ନାହିଁ ବୋଲି ରଣେନ୍ଦ୍ର ଉଲ୍ଲେଖ କରିଛନ୍ତି। ସେହିପରି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଭାରତ ବନ୍ଦ’କୁ ନେଇ ଯାହା ନିଷ୍ପତ୍ତି ନେବେ, ତାହାକୁ ସେ ମାନିବେ ବୋଲି ରଣେନ୍ଦ୍ର ଉଲ୍ଲେଖ କରିଛନ୍ତି। ମଙ୍ଗଳବାର ପ୍ରଥମାର୍ଦ୍ଧରେ ରଣେନ୍ଦ୍ରଙ୍କ ଏହି ବୟାନକୁ ବିଜେଡିର ଆଭିମୁଖ୍ୟ ବୋଲି ମନେ କରାଯାଉଥିଲା।

Share