Categories: ଖେଳ

ଭାରତ ବିପକ୍ଷ ଦିନିକିଆ ସିରିଜ: ଅଷ୍ଟ୍ରେଲିଆ ଦଳରେ ଲାବୁସାନେ ସାମିଲ

ମେଲବୋର୍ନ, ୧୭।୧୨ (ପି.ଟି.)- ଆସନ୍ତା ମାସରେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ଭାରତ ଗସ୍ତରେ ଆସି ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଛି। ଏହି ସୀମିତ ଓଭର ସିରିଜ ଲାଗି ମଙ୍ଗଳବାର ଅଷ୍ଟ୍ରେଲିଆ ଦିନିକିଆ ଦଳ ଘୋଷଣା କରାଯାଇଛି। ଆରୋନ୍‌ ଫିଞ୍ଚ୍‌ଙ୍କ ନେତୃତ୍ୱରେ ଘୋଷିତ ୧୪ ଜଣିଆ ଦଳରେ ଇନ୍‌ଫର୍ମ ଓପନର୍‌ ମାର୍ନସ ଲାବୁସେନଙ୍କୁ ସାମିଲ କରାଯାଇଛି। ଚଳିତ ବର୍ଷ ଟେଷ୍ଟ କ୍ରିକେଟ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଯୋଗୁ ଡାହାଣହାତୀ ବ୍ୟାଟ୍ସମ୍ୟାନ ଲାବୁସାନେଙ୍କୁ ଚୟନକର୍ତ୍ତମାନେ ଦିନିକିଆରେ ଭରଷା କରିଛନ୍ତି।
ଆଫ୍ରିକା ଜନ୍ମିତ ୨୫ ବର୍ଷୀୟ ଲାବୁସାନେ ଗତବର୍ଷ ଟେଷ୍ଟ ପଦାର୍ପଣ କରିବା ପରଠାରୁ ୫୮.୦୫ ହାରରେ ରନ୍‌ ସଂଗ୍ରହ କରିଛନ୍ତି। ସେ ନିଜର ଅନ୍ତିମ ୩ଟି ଟେଷ୍ଟରେ ଶତକ ହାସଲ କରି ଶ୍ରେଷ୍ଠ ଫର୍ମରେ ମଧ୍ୟ ରହିଛନ୍ତି। ସେହିଭଳି ଅଲ୍‌ରାଉଣ୍ଡର ସିନ୍‌ ଆବଟ୍ଟ ୫ ବର୍ଷ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଜୋଶ୍‌ ହାଜେଲଉଡ୍‌ ଓ ସ୍ପିନର ଆଷ୍ଟନ ଅଗର ମଧ୍ୟ ଫେରିଛନ୍ତି। ତେବେ ଗ୍ଲେନ ମ୍ୟାକ୍ସଓ୍ବେଲ, ଉସମାନ ଖ୍ବାଜା, ଶନ୍‌ ମାର୍ଶ ଓ ନାଥନ ଲିୟନଙ୍କ ପରି ପ୍ରମୁଖ ଖେଳାଳିଙ୍କୁ ଏହି ସିରିଜରୁ ବାଦ୍‌ ଦିଆଯାଇଛି। ମାନସିକ ସ୍ବାସ୍ଥ୍ୟଜନିତ କାରଣ ଲାଗି କିଛିଦିନ କ୍ରିକେଟ୍‌ରୁ ଦୂରେଇ ଯାଇଥିବା ମ୍ୟାକ୍ସଓ୍ବେଲ ନିକଟରେ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କ ଖେଳ ଉପରେ ନଜରରେ ରଖାଯାଇଛି ବୋଲି ମୁଖ୍ୟ ଚୟନକର୍ତ୍ତା ଟ୍ରେଭର ହନ୍ସ କହିଛନ୍ତି। ଭାରତୀୟ ଦର୍ଶକ କିନ୍ତୁ ଦୁଇ ଷ୍ଟାର୍‌ ଖେଳାଳି ଡେଭିଡ୍‌ ଓ୍ବାର୍ନର ଓ ଷ୍ଟିଭ ସ୍ମିଥ୍‌ଙ୍କ ଖେଳ ଦେଖିପାରିବେ। ତିନି ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ମୁମ୍ବାଇଠାରେ ଜାନୁୟାରୀ ୧୪ରେ ଖେଳାଯିବ। ଏହାପରେ ରାଜକୋଟ୍‌ ଓ ବେଙ୍ଗାଲୁରୁଠାରେ ଯଥାକ୍ରମେ ଜାନୁୟାରୀ ୧୭ ଓ ୧୯ରେ ପରବର୍ତ୍ତୀ ୨ଟି ମ୍ୟାଚ୍‌ ଅନୁଷ୍ଠିତ ହେବ।
ଅଷ୍ଟ୍ରେଲିଆ ଦଳ: ଆରୋନ୍‌ ଫିଞ୍ଚ୍‌ (ଅଧିନାୟକ), ସିଡ୍‌ ଆବଟ୍ଟ, ଆଷ୍ଟନ ଅଗର, ଆଲେକ୍ସ କେରୀ, ପାଟ୍‌ କୁମିନ୍ସ, ପିଟର ହ୍ୟାଣ୍ଡ୍ସକମ୍ବ, ଜୋଶ୍‌ ହାଜେଲଉଡ୍‌, ମାର୍ନସ ଲାବୁସାନେ, କେନ୍‌ ରିଚାର୍ଡଶନ, ଷ୍ଟିଭ୍‌ ସ୍ମିଥ, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ନର, ଡେଭିଡ୍‌ ଓ୍ବାର୍ନର ଓ ଆଡାମ ଜାମ୍ପା।

Share