Categories: ଖେଳ

ଭାରତ ବିପକ୍ଷ ସିରିଜ: ନ୍ୟୁଜିଲାଣ୍ଡ ଦିନିକିଆ ଦଳ ଘୋଷିତ

ଓ୍ବେଲିଂଟନ, ୩୦।୧ (ପି.ଟି.)- ଭାରତ ବିପକ୍ଷ ଆଗାମୀ ଦିନିକିଆ ସିରିଜ ଲାଗି ଗୁରୁବାର ଘରୋଇ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳ ଘୋଷଣା କରାଯାଇଛି। ତେବେ ଆଘାତଜନିତ ସମସ୍ୟା ନ୍ୟୁଜିଲାଣ୍ଡ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି କାରଣରୁ ଦଳର ୩ ପ୍ରମୁଖ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ, ଲୋକି ଫର୍ଗୁସନ ଓ ମ୍ୟାଟ୍‌ ହେନରୀଙ୍କୁ ଭାରତ ବିପକ୍ଷ ଦିନିକିଆ ସିରିଜ ଲାଗି ଦଳରେ ସ୍ଥାନ ମିଳିନାହିଁ। ନବାଗତ ବୋଲରଙ୍କୁ ନେଇ କିଓ୍ବି ଦଳ ଏହି ସିରିଜ ଖେଳିବ। କାଏଲ୍‌ ଜେମିସନ ଦିନିକିଆ ପଦାର୍ପଣ କରିବାର ସମ୍ଭାବନା ରହିଥିବାବେଳେ ସ୍କଟ୍‌ କଗେଲେଇଜନ ଓ ହାମିଶ ବେନେଟ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଭିଜ୍ଞ ଟିମ୍‌ ସୌଦୀ ଦ୍ରୁତ ବୋଲିଂ ବିଭାଗର ନେତୃତ୍ୱ ନେବେ। ସେହିଭଳି କଲିନ୍‌ ଡି ଗ୍ରାଣ୍ଡହୋମ୍‌ ଦଳକୁ ଫେରିଛନ୍ତି। ଜିମ୍ମି ନିଶାମ ଓ ମିଚେଲ ସାଣ୍ଟନର ଅଲ୍‌ରାଉଣ୍ଡର ଭାବେ ଦଳରେ ସ୍ଥାନ ପାଇଛନ୍ତି। ତେବେ ଲେଗ୍‌-ସ୍ପିନର ଇଶ୍‌ ସୋଧୀଙ୍କୁ କେବଳ ପ୍ରଥମ ଦିନିକିଆ ଲାଗି ଦଳରେ ସ୍ଥାନ ମିଳିଛି। ଏହାପରେ ସେ ଭାରତ-ଏ ଓ ନ୍ୟୁଜିଲାଣ୍ଡ-ଏ ମଧ୍ୟରେ ଖେଳାଯିବାକୁ ଥିବା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ ଲାଗି ଦଳରୁ ରିଲିଜ ହେବେ। ଭ୍ରମଣକାରୀ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଫେବୃୟାରୀ ୫ରୁ ହାମିଲଟନ୍‌ରେ ଆରମ୍ଭ ହେବ।
ନ୍ୟୁଜିଲାଣ୍ଡ ଦଳ: କେନ୍‌ ଓ୍ବିଲିୟମସନ (ଅଧିନାୟକ), ହାମିଶ ବେନେଟ୍ଟ, ଟମ୍‌ ବ୍ଲଣ୍ଡେଲ, କଲିନ ଡି ଗ୍ରାଣ୍ଡହୋମ୍‌, ମାର୍ଟିନ ଗୁପ୍‌ଟିଲ, କାଏଲ୍‌ ଜେମିସନ, ସ୍କଟ୍‌ କଗ୍‌ଲେଇଜନ, ଟମ୍‌ ଲଥାମ୍‌, ଜିମ୍ମି ନିଶାମ, ହେନରୀ ନିକୋଲାସ, ମିଚେଲ ସାଣ୍ଟନର, ଇଶ୍‌ ସୋଧୀ (ପ୍ରଥମ ଦିନିକିଆ), ଟିମ୍‌ ସୌଦୀ ଓ ରସ୍‌ ଟେଲର।

Share