Categories: ଖେଳ

ଭାରତ ବିପକ୍ଷ ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ମହିଳା କ୍ରିକେଟ ଦଳ ଘୋଷିତ

ସେଣ୍ଟ ଜନ୍ସ(ଆଣ୍ଟିଗୁଆ), ୨୭।୧୦(ପି.ଟି.) : ଆସନ୍ତା ମାସରେ ହେବାକୁଥିବା ଭାରତ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ରବିବାର ଓ୍ବେଷ୍ଟଇଣ୍ଡିଜ ମହିଳା କ୍ରିକେଟ ଦଳ ଘୋଷିତ ହୋଇଛି। ଦଳକୁ ଅଭିଜ୍ଞ ଶେମାଇନ କ୍ୟାମ୍ପବେଲ ଓ ଚିଡିଅନ ନେସନଙ୍କୁ ଡାକରା ଦିଆଯାଇଛି। ଏହି ଦୁଇ ଖେଳାଳି ଜୁନରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଖେଳିଥିଲେ ହେଁ ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ଖେଳିପାରି ନ ଥିଲେ। ଦଳରେ ନୂଆ ମୁହଁଭାବେ ଶାଓ୍ବନିଶା ହେକ୍ଟର ଓ ଅଲରାଉଣ୍ଡର ଆଲିୟା ଆଲେନଙ୍କୁ ସାମିଲ କରାଯାଇଛି। ଦଳର ନିୟମିତ ଅଧିନାୟିକା ଷ୍ଟାଫାନି ଟେଲର ଭାରତ ବିପକ୍ଷରେ ମଧ୍ୟ ଦଳର ନେତୃତ୍ୱ ନେବେ। ତେବେ ଗତ ଫେବୃୟାରୀରୁ ଆହତ ଥିବା ଡେଣ୍ଡ୍ରା ଟୋଟ୍ଟିନ ଏଥର ମଧ୍ୟ ଦଳରୁ ବାଦ୍‌ ପଡ଼ିଛନ୍ତି। ଦଳ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ବେଶ୍‌ ସନ୍ତୁଳିତ ବୋଲି ମହିଳା ଚୟନ କମିଟି ମୁଖ୍ୟ ଆନ୍‌ ବ୍ରାଉନ୍‌-ଜନ ପ୍ରକାଶ କରିଛନ୍ତି। ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମହିଳା ଦଳ ଆଣ୍ଟିଗୁଆରେ ନଭେମ୍ବର ୧ରେ ପ୍ରଥମ ଦିନିକିଆ ଖେଳି ଅଭିଯାନ ଆରମ୍ଭ କରିବେ।
ଓ୍ବେଷ୍ଟଇଣ୍ଡିଜ ମହିଳା କ୍ରିକେଟ ଦଳ: ଷ୍ଟାଫାନି ଟେଲର(ଅଧିନାୟିକା), ଅନିସା ମହମ୍ମଦ, ଆଲିୟା ଆଲେନ, ଆଫି ଫ୍ଲେଚର, ବ୍ରିଟ୍‌ନି କୁପର, ଚିଡିଅନ ନେସନ, ଚିନେଲି ହେନରି, ଷ୍ଟାସି-ଆନ୍‌ କିଙ୍ଗ୍‌, କିଶୋନା ନାଇଟ୍‌, ନତାଶା ମ୍ୟାକଲିନ, ଶାବିକା ଗଜନବି, ଶାଓ୍ବନିଶା ହେକ୍ଟର, ଶେମାଇନ କ୍ୟାମ୍ପବେଲ, ଶେନେଟା ଗ୍ରିମଣ୍ଡ।

Share