ଭାରତ ‘ବିଶ୍ୱର ଫାର୍ମାସୀ’ ଭୂମିକା ନେଇଛି: ଏସ୍‌ସିଓ

ବେଜିଂ,୨୨ା୬(ପି.ଟି.): ମେଡିସିନ କ୍ଷେତ୍ରରେ ଗଭୀର ଜ୍ଞାନକୌଶଳ, ଅଭିଜ୍ଞତା ଯୋଗୁ ଭାରତ କରୋନା ମହାମାରୀ ସମୟରେ ‘ବିଶ୍ୱର ଫାର୍ମାସୀ’ ଭୂମିକା ଗ୍ରହଣ କରିଛି ବୋଲି ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ) ମହାସଚିବ ଭ୍ଲାଦିମିର ନୋରୋଭ କହିଛନ୍ତି। ଭାରତ ନିଜ ଦେଶର କରୋନା ସଂକ୍ରମଣକୁ ରୋକିବା ଏବଂ ଚିକିତ୍ସା ନିମନ୍ତେ ଜରୁରୀ ପଦକ୍ଷେପ ନେବା ସହ ମହାମାରୀ ବିରୋଧରେ ଲଢ଼ିବା ପାଇଁ ୧୩୩ ଦେଶକୁ ଔଷଧ ଯୋଗାଇଦେଇଛି। ଏହା ଭାରତର ଉଦାରତାକୁ ଦର୍ଶାଉଛି ବୋଲି ନୋରୋଭ ନ୍ୟୁଜ୍‌ ଏଜେନ୍ସି ପିଟିଆଇକୁ ସାକ୍ଷାତ୍‌କାର ଦେଇ କହିଛନ୍ତି। ତାଙ୍କ ମତରେ ଏହା ଏକ ମୂଲ୍ୟବାନ ଓ ଦାୟିତ୍ୱସମ୍ପନ୍ନ ଉଦାହରଣ, ଯାହା ଏକ ବଡ଼ ଶକ୍ତିର ଆଚରଣର ପ୍ରତୀକ। ଏହାସହିତ ଏସ୍‌ସିଓ ସଦସ୍ୟ ଦେଶଗୁଡ଼ିକର ପରିପୂର୍ଣ୍ଣତା ଏବଂ ପାରସ୍ପରିକ ସହଯୋଗକୁ ଦର୍ଶାଉଛି। ନିକଟରେ ଭାରତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛି। ଏନେଇ ନୋରୋଭ କହିଛନ୍ତି ଯେ, ୨୦୨୧-୨୨ ପାଇଁ ଭାରତ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟତା ହାସଲ କରିଛି। ଏହା ବହୁତ ଗୁରୁତ୍ୱବହନ କରେ। ଗତ ଜାନୁୟାରୀରେ ଭାରତ ଗସ୍ତରେ ଆସି ଶୀର୍ଷ ନେତୃତ୍ୱଙ୍କ ସହ ବ୍ୟାପକ ବାର୍ତ୍ତାଳାପ କରିଥିବା ନୋରୋଭ କହିଛନ୍ତି ଯେ, ଭାରତର ଦକ୍ଷତାସମ୍ପନ୍ନ ବୈଜ୍ଞାନିକ ଏବଂ ଡାକ୍ତରୀ ବୃତ୍ତିଧାରୀମାନେ କରୋନା ଭାଇରସ୍‌ ସମ୍ପର୍କରେ ବିଶ୍ୱସ୍ତରରେ ହେଉଥିବା ଅଧ୍ୟୟନ ଓ ଟିକା ବିକାଶ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିବେ ବୋଲି ତାଙ୍କର ବିଶ୍ୱାସ ରହିଛି। ସୂଚନାଥାଉ କି, ଏସ୍‌ସିଓର ମୁଖ୍ୟ କାଯର୍ର୍‌ୟାଳୟ ଚାଇନା ରାଜଧାନୀ ବେଜିଂରେ ରହିଛି। ଏହା ହେଉଛି ୮ ଦେଶ ବିଶିଷ୍ଟ ଅର୍ଥନୈତିକ ଓ ସୁରକ୍ଷା ବ୍ଲକ। ଭାରତ ଓ ପାକିସ୍ତାନ ୨୦୧୭ରେ ଏହାର ସଦସ୍ୟ ହୋଇଥିଲେ। ଏହାର ପ୍ରତିଷ୍ଠାତା ସଦସ୍ୟମାନେ ହେଲେ, ଚାଇନା, ରୁଷିଆ, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ ଏବଂ ଉଜ୍‌ବେକିସ୍ତାନ।
ଉଜ୍‌ବେକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ନୋରୋଭ କହିଛନ୍ତି ଯେ, ଭାରତ ଏବେ ଅନେକ ବିଶ୍ୱସ୍ତରୀୟ ପଦକ୍ଷେପ ପାଇଁ ଦିଗ ନିର୍ଦ୍ଧାରଣ କରିଛି। ଏହାର କାରଣ ହେଉଛି, ଉଚ୍ଚଗୁଣ ସମ୍ପନ୍ନ ତଥା ସୁଲଭ ମୂଲ୍ୟର ଔଷଧ, ଯନ୍ତ୍ରପାତି, ଟିକା ଉତ୍ପାଦନ ସାଙ୍ଗକୁ ଔଷଧ ଏବଂ ସ୍ବାସ୍ଥ୍ୟ ପରିଚାଳନା କ୍ଷେତ୍ରରେ ଭାରତର ବ୍ୟାପକ ଅଭିଜ୍ଞତା ଏବଂ ଗଭୀର ଜ୍ଞାନ। ସେ କହିଛନ୍ତି ଯେ, ଜେନେରିକ ଔଷଧ କ୍ଷେତ୍ରରେ ଭାରତ ବିଶ୍ୱର ସର୍ବବୃହତ ଉତ୍ପାଦକ ହୋଇପାରିଛି, ଯାହା ସମୁଦାୟ ବିଶ୍ୱ ଉତ୍ପାଦନର ୨୦%। ଏହାସହିତ ବିଶ୍ୱର ୬୨% ଟିକା ଚାହିଦାକୁ ଭାରତ ପୂରଣ କରୁଛି।

Share