Categories: ଜାତୀୟ

ଭାରତ-ବ୍ରାଜିଲ ମଧ୍ୟରେ ୧୫ ଚୁକ୍ତି ସ୍ବାକ୍ଷର

ନୂଆଦିଲ୍ଲୀ,୨୬ା୧(ପି.ଟି.): ଭାରତ ଓ ବ୍ରାଜିଲ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଲାଗି ଶନିବାର ଦୁଇଦେଶ ମଧ୍ୟରେ ୧୫ଟି ଚୁକ୍ତିନାମା ସ୍ବାକ୍ଷର ହୋଇଛି। ନୂଆଦିଲ୍ଲୀ ଗସ୍ତରେ ଆସିଥିବା ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ବୋଲ୍‌ସୋନାରୋ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା, ନିରାପତ୍ତା, ବାଣିଜ୍ୟ, କୃଷି, ବେସାମରିକ ବିମାନ ଚଳାଚଳ, ଶକ୍ତି, ପରିବେଶ, ସ୍ବାସ୍ଥ୍ୟ ଓ ନବପ୍ରବର୍ତ୍ତନ ଆଦି କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି କାର୍ଯ୍ୟଯୋଜନା ପ୍ରସ୍ତୁତ ହୋଇଛି। ଅନ୍ତର୍ଜାତୀୟ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଦୁଇଦେଶ ଏକାଠି କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ବିଶ୍ୱ ଆର୍ଥତ୍କ ମାନ୍ଦାବସ୍ଥା କାରଣରୁ ଦୁଇ ବୃହତ୍‌ ଅର୍ଥନୀତିରେ ପୁଞ୍ଜିନିବେଶ ପ୍ରଭାବିତ ହୋଇଛି। ତେଣୁ ଦ୍ୱିପାକ୍ଷିକ ବାଣିଜ୍ୟ ଓ ପୁଞ୍ଜିବିନିଯୋଗ ବଢ଼ାଇବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ତୈଳ ଓ ଗ୍ୟାସ, ଖଣିଜ ସମ୍ପଦ, ପାରମ୍ପରିକ ଔଷଧ, ପ୍ରାଣୀ ସମ୍ପଦ, ଜୈବଶକ୍ତି, ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ଚୁକ୍ତିନାମା ସ୍ବାକ୍ଷର ହୋଇଥିବା ଜଣାପଡିଛି। ବୋଲସୋନାରୋଙ୍କ ଭାରତ ଗସ୍ତ ଦୁଇଦେଶର ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଉନ୍ମୋଚନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତର ଆର୍ଥତ୍କ ଅଭିବୃଦ୍ଧିରେ ବ୍ରାଜିଲ୍‌ ଏକ ମୂଲ୍ୟବାନ ସହଯୋଗୀ ବୋଲି ସେ ମତ ଦେଇଛନ୍ତି। ରାଜିନାମା ସ୍ବାକ୍ଷର ହେବା ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜଭୁତ ହେବ ବୋଲି ବ୍ରାଜିଲ ରାଷ୍ଟ୍ରପତି କହିଛନ୍ତି।

Share