Categories: ଖେଳ

ଭାରତ-ଭିଏତ୍‌ନାମ ମ୍ୟାଚ୍‌ ଡ୍ର

ହାନୋଇ (ଭିଏତ୍‌ନାମ), ୬।୧୧ (ପି.ଟି.): ଭାରତ ଓ ଭିଏତ୍‌ନାମ ମହିଳା ଫୁଟ୍‌ବଲ ଦଳ ମଧ୍ୟରେ ବୁଧବାର ଏଠାରେ ଖେଳାଯାଇଥିବା ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଡ୍ର’ରେ ଶେଷ ହୋଇଛି। ନିର୍ଦ୍ଧାରିତ ସମୟ ସୀମା ସୁଦ୍ଧା ଉଭୟ ଦଳ ଗୋଟିଏ ଲେଖାଏ ଗୋଲସ୍କୋର କରିବାରେ ସଫଳ ହୋଇଥିଲେ। ସ୍ଥାନୀୟ ନ୍ୟାଶନାଲ ଟ୍ରେନିଂ ସେଣ୍ଟରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ଆରମ୍ଭରୁ ଉଭୟ ଦଳ ବେଶ୍‌ ସତର୍କତାର ସହ ଖେଳିଥିଲେ। ତେବେ ୩୯ତମ ମିନିଟ୍‌ରେ ଭିଏତ୍‌ନାମ ଅଗ୍ରଣୀ ହାସଲ କରିଥିଲା। ଥାଇ ଥି ଥାଓଙ୍କ ଗୋଲ ବଳରେ ଘରୋଇ ଦଳ ପ୍ରଥମାର୍ଦ୍ଧ ସୁଦ୍ଧା ୧-୦ରେ ଆଗୁଆ ରହିଥିଲା। ତେବେ ଭାରତ ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଗୋଲ ଶୁଝାଇବାରେ ସକ୍ଷମ ହୋଇଥିଲା। ରଞ୍ଜାନ ଚାଣୁ ଭାରତ ପାଇଁ ଏହି ଗୋଲଟି ଦେଇଥିଲେ। ମ୍ୟାଚ୍‌ ଶେଷ ସୁଦ୍ଧା ଉଭୟ ଦଳ ପକ୍ଷରୁ ଆଉ କୌଣସି ଗୋଲ ହୋଇ ନ ଥିଲା। ଫଳରେ ୧-୧ରେ ଡ୍ର ରହିଥିଲା। ପୂର୍ବରୁ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ୦-୩ ଗୋଲରେ ପରାସ୍ତ ହୋଇଥିଲା।

Share