ଭାରତ-ମଙ୍ଗୋଲିଆ ବ୍ୟବସାୟିକ ବୈଠକରେ ଧର୍ମେନ୍ଦ୍ର: ‘ଦ୍ୱିପାକ୍ଷିକ ସହଯୋଗ ଅର୍ଥନୀତିକୁ ମଜଭୁତ କରିବ’

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଙ୍ଗୋଲିଆ ଗସ୍ତ ପରେ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜଭୁତ ହୋଇଛି। ଏହି ସମ୍ପର୍କ ଦୁଇ ଦେଶର ଅର୍ଥନୀତିକୁ ମଧ୍ୟ ଭବିଷ୍ୟତରେ ମଜଭୁତ କରିବ ବୋଲି ନୂଆଦିଲ୍ଲୀଠାରେ ଏଫ୍‌ଆଇସିସିଆଇ ପକ୍ଷରୁ ଆୟୋଜିତ ବ୍ୟବସାୟିକ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଉକ୍ତ ବୈଠକରେ ମଙ୍ଗୋଲିଆର ରାଷ୍ଟ୍ରପତି ଏଚ୍‌.ଇ ଖଲ୍‌ଟମାଜିନ୍‌ ବାଟ୍ଟୁଲ୍‌ଗା ଉପସ୍ଥିତ ଥିଲେ। ଧର୍ମେନ୍ଦ୍ର କହିଛନ୍ତି ଯେ, ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଏବଂ ବାଣିଜ୍ୟ ସମ୍ପର୍କ ରହି ଥିଲେ ସୁଦ୍ଧା ମୋଟ ଉପରେ ବ୍ୟବସାୟର ମାତ୍ରା କମ୍‌ ରହିଛି। ତେଣୁ ପୁଣିଥରେ ଦ୍ୱିପାକ୍ଷିକ ବ୍ୟବସାୟ ବୃଦ୍ଧି ହେବା ପାଇଁ ଦୁଇ ଦେଶର ସମ୍ପର୍କକୁ ଆହୁରି ମଜଭୁତ କରିବାର ଆବଶ୍ୟକତା ରହିଛି। ଉଭୟ ଦେଶକୁ ଆଇଟି, ଯୋଗାଯୋଗ ପ୍ରଯୁକ୍ତି ବିଜ୍ଞାନ, ଫାର୍ମାସ୍ୟୁଟିକାଲ ଏବଂ ସ୍ବାସ୍ଥ୍ୟସେବା ଉଦ୍ୟୋଗ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯିବ। ଏହି କ୍ଷେତ୍ରର ଭିତ୍ତିଭୂମି ଉପରେ ମଙ୍ଗୋଲିଆକୁ ଭାରତ ସମର୍ଥନ ଦେଇଥିବା ମତବ୍ୟକ୍ତ ପ୍ରକାଶ କରିଛନ୍ତି। ସେହିପରି ଗୋପାଳନ, ଶିକ୍ଷା ପାଇଁ ଦୁଇ ଦେଶ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ଦୁଇ ଦେଶର ଆର୍ଥତ୍କ ଅଭିବୃଦ୍ଧି ହୋଇପାରିବ ବୋଲି ସେ କହିଛନ୍ତି। ପୂର୍ବରୁ ଦୁଇ ଦେଶ ସାଇବର ନିରାପତ୍ତା କ୍ଷେତ୍ରରେ ଏକ ହୋଇ କାମ କରୁଛନ୍ତି। ସେହିପରି ପର୍ଯ୍ୟଟନ କ୍ଷେତ୍ରରେ ଭାରତ ଏବଂ ମଙ୍ଗୋଲିଆ ମଧ୍ୟରେ ସହଯୋଗର ବହୁତ ବଡ ସମ୍ଭାବନା ଅଛି। ଦୁଇ ଦେଶ ବନ୍ଧୁତ୍ୱ ଗଣତନ୍ତ୍ରର ସାମାନ୍ୟ ଆଦର୍ଶର ମୂଳଦୁଆରେ ନିର୍ମିତ ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

Share