ଭାରତ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନର ଫିଲ୍ଡିଂ ଚିନ୍ତା

ଟଣ୍ଟନ,୧୩।୬(ପିଟି): ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଅତ୍ୟନ୍ତ ସାଧାରଣ ଫିଲ୍ଡିଂ ପରେ ପାକିସ୍ତାନ ଦଳର ଅଧିନାୟକ ସର୍ଫରାଜ ଅହମ୍ମଦ ଦଳୀୟ ଖେଳାଳିଙ୍କୁ ଚେତାବନୀ ଦେଇଛନ୍ତି। ଆମେ ସମସ୍ତ ବିଭାଗରେ ବହୁ ତ୍ରୁଟି କରିଥିଲୁ। ଆମ ଫିଲ୍ଡରଙ୍କ ପ୍ରଦର୍ଶନରେ ମୁଁ ଦୁଃଖିତ। ଆମେ ଆଶାନୁଯାୟୀ ପ୍ରଦର୍ଶନ କରିପାରି ନ ଥିଲୁ। ଭାରତ ବିପକ୍ଷ କର ବା ମର ମ୍ୟାଚ୍‌ରେ ଫିଲ୍ଡିଂରେ ଉନ୍ନତି ଆଣିବାକୁ ପଡ଼ିବ। ସେଠାରେ କୌଣସି କ୍ଷମା ମିଳିବ ନାହିଁ ବୋଲି ସର୍ଫରାଜ ଅଷ୍ଟ୍ରେଲିଆଠାରୁ ପରାଜୟ ବରଣ କରିବା ପରେ ସର୍ଫରାଜ କହିଛନ୍ତି। ପାକିସ୍ତାନ ଦଳ ଚଳିତ ବିଶ୍ୱକପ୍‌ର ଫେଭରାଉଟ୍‌ ଇଂଲଣ୍ଡକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲା। କାରଣ ଇଆନ ମୋର୍ଗାନଙ୍କ ଦଳ ଫିଲ୍ଡରେ ବହୁତ ତ୍ରୁଟି କରିଥିଲା। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ସ୍ଥିତି ଭିନ୍ନ ଦେଖିବାକୁ ମିଳିଥିଲା। ପାକିସ୍ତାନ ଖେଳାଳିମାନେ କ୍ୟାଚ୍‌ ହାତଛଡ଼ା କରିବା ସହ ମିସ୍‌ ଫିଲ୍ଡ ଓ ଓଭର ଥ୍ରୋ ମାଧ୍ୟମରେ ବହୁ ରନ୍‌ ବ୍ୟୟ କରିଥିଲେ, ଯାହାକି ପାକିସ୍ତାନର ପରାଜୟର କାରଣ।

Share