Categories: ଖେଳ

‘ଭାରତ ଯୋଗୁ ଶ୍ରୀଲଙ୍କା ଖେଳାଳି ରାଜି ହେଉନାହାନ୍ତି’

ଲାହୋର,୧୧ା୯-ଭାରତୀୟ କର୍ତ୍ତୃପକ୍ଷଙ୍କ ଚାପରେ ବଶବର୍ତ୍ତୀ ହୋଇ ଶ୍ରୀଲଙ୍କା କ୍ରିକେଟ ଖେଳାଳିମାନେ ପାକିସ୍ତାନ ଟୁର୍‌ରେ ଯିବା ଲାଗି ରାଜି ହେଉ ନ ଥିବା ଏହି ଦେଶ ଜଣେ ମନ୍ତ୍ରୀ ଫାଓ୍ବାଦ ହୁସେନ ଅଭିଯୋଗ କରିଛନ୍ତି। ସୁରକ୍ଷାଜନିତ କାରଣରୁ ଶ୍ରୀଲଙ୍କାର ୧୦ଜଣ ଖେଳାଳି ପାକିସ୍ତାନ ଗସ୍ତରେ ଯିବା ଲାଗି ମନା କରିଦେବାର ଦିନକ ପରେ ମନ୍ତ୍ରୀ ଜଣକ ଏହି ଅଭିଯୋଗ କରିଛନ୍ତି। ଯେଉଁ ଖେଳାଳିମାନେ ପାକିସ୍ତାନରେ ଖେଳିବେ ସେମାନଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଖେଳାଯିବ ନାହିଁ ବୋଲି ଭାରତୀୟ କ୍ରୀଡ଼ା କର୍ତ୍ତୃପକ୍ଷଙ୍କ ତରଫରୁ ଚେତାଇ ଦିଆଯାଇଛି। ଏହା ଏକ ହୀନ କୌଶଳ ଏବଂ କ୍ରୀଡ଼ା କ୍ଷେତ୍ରରେ ଏହା ଶୋଭନୀୟ ନୁହେଁ ବୋଲି ହୁସେନ କହିଛନ୍ତି। ସୁରକ୍ଷାଜନିତ କାରଣରୁ ଟି୨୦ ଅଧିନାୟକ ଲସିଥ ମାଲିଙ୍ଗା ଏବଂ ପୂର୍ବତନ ଅଧିନାୟକ ଦ୍ୱୟ ଆଞ୍ଜେଲୋ ମାଥ୍ୟୁସ ଓ ଥିସାରା ପେରେରା ଆସନ୍ତା ପାକିସ୍ତାନ ଟୁର୍‌ରୁ ଓହରି ଯାଇଛନ୍ତି। ସୂଚନାଯୋଗ୍ୟ, ୨୦୦୯ ମାର୍ଚ୍ଚରେ ଏକ ଟେଷ୍ଟ ମ୍ୟାଚ ବେଳେ ଶ୍ରୀଲଙ୍କା ଟିମ୍‌ ବସ୍‌ ଉପରେ ଏକ ଆତଙ୍କବାଦୀ ଆକ୍ରମଣ ପରେ ଅଧିକାଂଶ ଅନ୍ତର୍ଜାତୀୟ ଟିମ୍‌ ପାକିସ୍ତାନ ଟୁର୍‌ରେ ଯିବା ଲାଗି ରାଜି ହେଉନାହାନ୍ତି। ପାକିସ୍ତାନ ବିପକ୍ଷରେ ୬ ମ୍ୟାଚ ବିଶିଷ୍ଟ ସୀମିତ ଓଭର ସିରିଜ ଲାଗି ଶ୍ରୀଲଙ୍କା ସମ୍ଭାବ୍ୟ ଖେଳାଳି ତାଲିକା ପ୍ରକାଶ କରିଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଟୁର୍‌ରେ ଯିବା ଇଚ୍ଛାଧୀନ ବୋଲି ଖେଳାଳିମାନଙ୍କୁ କୁହାଯାଇଥିଲା। କରାଚୀରେ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁଥିବା ଏହି ସିରିଜରେ ୩ ଅନ୍ତର୍ଜାତୀୟ ଦିନିକିଆ ଏବଂ ୩ ଅନ୍ତର୍ଜାତୀୟ ଟି୨୦ ଖେଳାଯିବା କାର୍ଯ୍ୟକ୍ରମ ରହିଛି। ଟୁର୍‌ରୁ ଓହରିଯିବା ଲାଗି ନିଷ୍ପତ୍ତି ନେଇଥିବା ଅନ୍ୟ ୭ ଖେଳାଳି ହେଲେ ନିରୋଶାନ ଡିକ୍‌ଓ୍ବେଲା, କୁସାଲ ପେରେରା, ଧନଞ୍ଜୟ ଡି’ ସିଲ୍‌ଭା, ଆକିଲା ଦନଞ୍ଜୟ, ସୁରଙ୍ଗ ଲକମଲ, ଦୀନେଶ ଚାଣ୍ଡିମଲ ଓ ଦିମୁଥ କରୁଣାରତ୍ନେ।

Share