କୁଲଭୂଷଣଙ୍କୁ ଫାଶୀ ଦେଇପାରିବନି ପାକିସ୍ତାନ

ନୂଆଦିଲ୍ଲୀ,୧୭।୭: ବହୁପ୍ରତୀକ୍ଷିତ କୁଳଭୂଷଣ ଯାଦବ ମାମଲାରେ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ବୁଧବାର ଶୁଣାଣି କରିଛନ୍ତି। ଏହି ଶୁଣାଣି ଭାରତ ସପକ୍ଷରେ ଯାଇଛି। ଆଇସିଜେ କୁଳଭୂଷଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି। ଏଥିସହ ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣଙ୍କୁ ‘କନ୍‌ସୁଲାର ଆକ୍ସେସ’ ଦିଆଯିବା ଆବଶ୍ୟକ ବୋଲି ଆଇସିଜେ କହିଛନ୍ତି। କେବଳ ସେତିକି ନୁହେଁ, ଅନ୍ୟାଦେଶ ପର୍ଯ୍ୟନ୍ତ କୁଳଭୂଷଣଙ୍କ ଫାଶୀ ଦଣ୍ଡାଦେଶ ସ୍ଥଗିତ ରଖିବା ସହ ପାକିସ୍ତାନ ତା’ର ନିଷ୍ପତ୍ତିର ପୁନର୍ବିଚାର କରୁ ବୋଲି ଅର୍ନ୍ତଜାତୀୟ କୋର୍ଟ କହିଛନ୍ତି। ଆଇସିଜେର ୧୬ ବିଚାରପତିଙ୍କ ମଧ୍ୟରୁ ୧୫ ଜଣ ଭାରତ ସପକ୍ଷରେ ଥିଲେ। ଜଣେ ବିଚାରପତି ଏହା ବିରୋଧରେ ମତ ରଖିଥିଲେ। ଆଇସିଜେ ଶୁଣାଣି ପରେ ପାକିସ୍ତାନ ଜେଲ୍‌ରେ ବନ୍ଦୀଥିବା କୁଳଭୂଷଣଙ୍କୁ ଆଇନଗତ ସହାୟତା ମିଳିବା ସହ ଭାରତୀୟ ଦୂତାବାସ ଅଧିକାରୀ ତାଙ୍କୁ ଭେଟି ପାରିବେ। ଭାରତୀୟ ନାଗରିକ ତଥା ଅବସରପ୍ରାପ୍ତ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଭାରତୀୟ ଗୁପ୍ତଚର ବୋଲି ମିଥ୍ୟା ଆଖ୍ୟା ଦେଇ ପାକିସ୍ତାନ ୨୦୧୬ରେ ଗିରଫ କରିବା ସହ ସେଠାକାର ସାମରିକ ଅଦାଲତ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ଏନେଇ ଭାରତ ଆଇସିଜେର ଦ୍ୱାରସ୍ଥ ହୋଇଥିଲା।

Share