ନୂଆଦିଲ୍ଲୀ,୧୯।୯: ଜମ୍ମୁ-କଶ୍ମୀରରେ ଭାରତ କରିଥିବା ପରିବର୍ତ୍ତନ ପରେ ପାକିସ୍ତାନ ହଡବଡେଇ ଯାଇଛି। ଏଥିପାଇଁ ସେ ନିୟମିତ ଭାବେ ଭାରତ ବିରୋଧରେ କିଛି ନା କିଛି ଉଦ୍ୟମ ଜାରି ରଖିଛି। ନିକଟରେ ସେ ଏହାକୁ ନେଇ ଅନ୍ତରାଷ୍ଟ୍ରୀୟ ସ୍ତରରେ ସାହାଯ୍ୟ ମାଗିଥିବା ବେଳେ କୌଣସି ଦେଶର ସହଯୋଗ ମିଳି ନ ଥିଲା। ଏବେ ପାକିସ୍ତାନ ଚେଷ୍ଟା କରୁଛି ସୀମା ପାର କରି ଆତଙ୍କବାଦୀଙ୍କୁ ଭାରତରେ ପ୍ରବେଶ କରାଇବାକୁ। ଗୋଇନ୍ଦା ବିଭାଗର ସୂଚନା ଅନୁଯାୟୀ, ଗୁରେଜ ସେକ୍ଟର ନିକଟରେ ଭାରତ ସୀମା ବାହାରେ ଥିବା ଲଞ୍ଚ ପ୍ୟାଡରେ ପ୍ରାୟ ୬ଟି ଆତଙ୍କବାଦୀ ଦଳ ଭାରତରେ ପ୍ରବେଶ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ଏହି ଦଳରେ ପ୍ରାୟ ୬୦ ଆତଙ୍କବାଦୀ ରହିଥିବା ଅନୁମାନ କରାଯାଉଛି। ଏମାନେ କଶ୍ମୀରବାସୀଙ୍କ ଭଳି ବେଶ ପୋଷାକରେ ଥିବା କୁହାଯାଉଛି। ଫଳରେ ଏମାନେ ସହଜରେ ପ୍ରବେଶ କରିପାରିବେ ଓ ପାକ୍ ସେନା ପାଇଁ ଏହା ସୁବିଧା ଜନକ ହେବ।