ଭାରତ-ୟୁଏଇ ମିଶି ଅନେକ ମାଇଲଖୁଣ୍ଟ ପୂରଣ କରିଛନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୦।୯ (ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁଏଇ ରାଷ୍ଟ୍ରପତି ଏଚ୍‌ଇ ଶିଖ୍‌ ଖଲିଫା ବିନ୍‌ ଜାୟଦ୍‌ ଅଲ୍‌ ନାହ୍ୟାନଙ୍କ ନେତୃତ୍ୱରେ ତୈଳ ଓ ଗ୍ୟାସ୍‌ କ୍ଷେତ୍ରରେ ଭାରତ ଏବଂ ୟୁଏଇ ମିଶି ଅନେକ ଐତିହାସିକ ମାଇଲଖୁଣ୍ଟକୁ ପୂରଣ କରିଛନ୍ତି । ଉଭୟେ ଏହି ବନ୍ଧୁତ୍ୱକୁ ଆଗକୁ ନେବାସହ ପରସ୍ପର ସହଯୋଗୀ ହୋଇ ଉକ୍ତ କାର୍ଯ୍ୟକୁ ପ୍ରାଥମିକତା ଦେଇ କାମ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ପାଞ୍ଚଦିନିଆ ବିଦେଶ ଗସ୍ତରେ ଥିବା ଧର୍ମେନ୍ଦ୍ର ସୋମବାର ୟୁଏଇ ପ୍ରମୁଖ ତୈଳ ଓ ଗ୍ୟାସ୍‌ ଏବଂ ପେଟ୍ରୋଲିୟମ କମ୍ପାନୀର ମୁଖ୍ୟଙ୍କୁ ସାକ୍ଷାତ କରିବା ସହ ସେଠାକାର ଇସ୍ପାତ ଶିଳ୍ପର ଅଧିକାରୀମାନଙ୍କ ସହ ବୈଠକ କରିବାପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ୟୁଏଇ ପ୍ରମୁଖ ତୈଳ ଓ ଗ୍ୟାସ ଏବଂ ପେଟ୍ରୋଲିୟମ କମ୍ପାନୀର ମୁଖ୍ୟଙ୍କୁ ସାକ୍ଷାତ କରିବା ଅବସରରେ ଉଭୟଙ୍କ ମଧ୍ୟରେ ଉର୍ଜା କ୍ଷେତ୍ରରେ ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟିକ ସହଯୋଗ ଏବଂ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଇଛି । ଏହାବ୍ୟତୀତ ଦୁଇ ଦେଶ ମଧ୍ୟରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ସହ ୟୁଏଇରେ ଭାରତ ନିଜର ଉପସ୍ଥିତିକୁ ଅଧିକ ଦୃଢ କରିବା ପାଇଁ ଆଲୋଚନା ହୋଇଛି । ଏହି ଅବସରରେ ଦୁବାଇଠାରେ ୟୁଏଇ ଇସ୍ପାତ ଶିଳ୍ପର ପ୍ରତିନିଧି ଏବଂ ଧର୍ମେନ୍ଦ୍ରଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଇସ୍ପାତ କ୍ଷେତ୍ରରେ ଭାରତ ଓ ୟୁଏଇ ମଧ୍ୟରେ ବ୍ୟବସାୟିକ କ୍ଷମତାକୁ ସଫଳ କରିବା ଦିଗରେ ଚର୍ଚ୍ଚା ହୋଇଛି। ଭାରତରେ ଇସ୍ପାତ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ ୟୁଏଇ ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରିଛନ୍ତି।

Share